କରୋନା ସଂକ୍ରମଣ: ବାଦୁଡ଼ିଠାରୁ ବଜ୍ରକାପ୍ତା; ଏବେ ମନୁଷ୍ୟ ସମାଜରେ ମହାମାରୀ !

ଲଣ୍ଡନ,୨୫।୩: କରୋନା ସଂକ୍ରମଣ କିଭଳି ମନୁଷ୍ୟଠାରେ ହେଲା ସେ ନେଇ ଏବେ ସାରା ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଚାଇନାରେ କରୋନା ଭୂତାଣୁ ବାଦୁଡ଼ି ମଳରୁ ବ୍ୟାପିଥିଲା। ବାଦୁଡ଼ିର ମଳକୁ ଜଙ୍ଗଲରେ ବୁଲୁଥିବା ବଜ୍ରକାପ୍ତା ଶୁଙ୍ଘିଥିଲା। ଫଳରେ ଏହି ଭୂତାଣୁ ବଜ୍ରକାପ୍ତା ଶରୀରରେ ପ୍ରବେଶ କରିଥିଲା। ଏହାପରେ ଅନ୍ୟ ପ୍ରାଣୀଙ୍କ ଶରୀରରେ ସଂକ୍ରମଣ ସୃଷ୍ଟିକରି କରୋନା ଭୂତାଣୁ ଶେଷରେ ମନୁଷ୍ୟ ଶରୀରରେ ପ୍ରବେଶ କରିଥିଲା। ଏହା କାହାଣୀ ନୁହେଁ ସତ କଥା ବୋଲି ଲଣ୍ଡନ ଜିଲୋଜିକାଲ୍‌ ସୋସାଇଟିର ପ୍ରଫେସର ଏଣ୍ଡ୍ର୍ୟୁ କନିଗମ୍‌ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ମନୁଷ୍ୟ ସମାଜରେ ପହଞ୍ଚିବା କାହାଣୀ କୌଣସି ଗୋଇନ୍ଦା ରହସ୍ୟ ଭଳି ମନେହେଉଥିଲେ ମଧ୍ୟ ଏଥିରେ ପ୍ରାମାଣିକ ତଥ୍ୟ ଲୁଚି ରହିଛି। ବାଦୁଡ଼ିଠାରେ କରୋନା ଭୂତାଣୁ ରହିଥାଏ ବୋଲି କନିଗମ୍‌ କହିଛନ୍ତି। ଏହି ସ୍ତନ୍ୟପାୟୀ ପ୍ରାଣୀଟି ପୃଥିବୀର ସମସ୍ତ ଅଞ୍ଚଳରେ ଦେଖାଯାଇଥାଏ। ସଂକ୍ରମିତ ବାଦୁଡ଼ି ଦ୍ୱାରା ଅନ୍ୟ ସୁସ୍ଥ ବାଦୁଡ଼ି ରୋଗରେ ପଡ଼ିଥାନ୍ତି। ତେବେ ଚାଇନାରେ ବଜ୍ରକାପ୍ତାର ଚୋରା କାରବାର ହୋଇଥାଏ। ବଜ୍ରକାପ୍ତା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ବହୁ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଚାଇନାରେ ବଜ୍ରକାପ୍ତା ଚୋରା ବେପାର ବେଶ୍‌ ଲାଭଜନକ ମଧ୍ୟ। ବାଦୁଡ଼ିଠାରୁ ସଂକ୍ରମିତ ହୋଇଥିବା ବଜ୍ରକାପ୍ତା ମାଧ୍ୟମରେ କରୋନା ମନୁଷ୍ୟ ସମାଜରେ ସମ୍ଭବତଃ ମହାମାରୀ ସୃଷ୍ଟି କରିଥିବା କନିଗମ୍‌ କହିଛନ୍ତି।

Share