Categories: ମେଟ୍ରୋ

କରୋନା ସଂକ୍ରମଣ ଭୟ: ବାଲେଶ୍ୱର ଭୋଗରାଇରୁ ଆସିଥିବା ଲୋକଙ୍କୁ ନେଇ ଘାଟିକିଆରେ ଉତ୍ତେଜନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): କିଛି ଦିନ ବ୍ୟବଧାନ ପରେ ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାରେ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ପଶ୍ଚିମବଙ୍ଗ ଫେରନ୍ତାକୁ ନେଇ ଏହି ସଂଖ୍ୟା ବଢ଼ୁଥିବା କୁହାଯାଉଛି। ତେବେ ବାଲେଶ୍ୱର ଭୋଗରାଇରୁ ଭୁବନେଶ୍ୱର ଘାଟିକିଆ ଅଞ୍ଚଳକୁ କିଛି ବ୍ୟକ୍ତି ଆସିଥିବାକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ପହଞ୍ଚି ଉକ୍ତ ଲୋକଙ୍କୁ କ୍ୱାରାଣ୍ଟାଇନ୍‌କୁ ପଠାଇଥିବା ସୂଚନା ମିଳିଛି।

ରାଜ୍ୟରେ ଖୋର୍ଦ୍ଧା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର ହଟ୍‌ଜୋନ୍‌ ପାଲଟିଛି। ବାଲେଶ୍ୱରରୁ କିଛି ବ୍ୟକ୍ତି ୧୭ ଏପ୍ରିଲରେ ଘାଟିକିଆକୁ ଫେରିଛନ୍ତି। ସେଠାରେ ଏକ ବିସ୍କୁଟ ଫ୍ୟାକ୍ଟ୍ରି ଥିବା ଯୋଗୁ ସେଠାରେ ସେମାନେ ରହିଥିଲେ। ସେମାନଙ୍କ ଉପସ୍ଥିତିକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବାଲେଶ୍ୱରରୁ ଆସିଥିବାରୁ ସଂକ୍ରମଣର ଆଶଙ୍କା ରହିଛି। ଏଣୁ ସେମାନଙ୍କୁ ଅଞ୍ଚଳରୁ ନେଇ ଯିବାକୁ ଲୋକମାନେ ଜିଦ୍‌ ଧରିଥିଲେ। ଶେଷରେ ଉକ୍ତ ଘରେ ଥିବା ୧୧ଜଣ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। ତେବେ ଜନତା କର୍ଫ୍ୟୁର ଆଗଦିନ ବାଲେଶ୍ୱର ଯାଇଥିଲେ। ପରେ ଲକ୍‌ଡାଉନ୍‌ ହେବା ଯୋଗୁ ସେଠାରେ ଫସି ରହିଥିଲେ। ଏବେ ଜିଲା ପ୍ରଶାସନଠାରୁ ଅନୁମତି ଆଣି ସେମାନେ ଘାଟିକିଆ ଫେରିଥିବା ପ୍ରକାଶ କରିଛନ୍ତି।

Share