କରୋନା ସଂକ୍ରମଣ ଯୋଗୁ ୯୫ ଦେଶରେ ମିଳିମିଳା- ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ: ସଙ୍କଟରେ ୮କୋଟି ଶିଶୁ

ଓ୍ବାଶିଂଟନ,୨୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ୯୫ଟି ଦେଶରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଏବଂ ପ୍ରତିଷେଧକ ଟୀକା ପ୍ରଦାନକାରୀ ସହଯୋଗୀ ଗାଭି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିବା ନ୍ୟୁୟର୍କ ଟାଇମ୍ସ୍‌ରେ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ସମୟରେ ଶିଶୁଙ୍କୁ ଠିକ୍‌ ସମୟରେ ମିଳିମିଳା ଏବଂ ପୋଲିଓ ଟୀକା ଦିଆଯାଇଛି କି ନାହିଁ ସେ ନେଇ ଆର୍ଥିକ ଦୃଷ୍ଟିରୁ ଗରିବ ଏବଂ ମଧ୍ୟମ ବର୍ଗର୧୨୯ଟି ଦେଶରେ ଏକ ସର୍ଭେ ହୋଇଥିଲା। ଜଣାପଡ଼ିଥିଲା ପାକିସ୍ତାନ ଏବଂ କଙ୍ଗୋ ସମେତ ୩୮ଟି ଦେଶରେ ପୋଲିଓ ଟୀକାକରଣ ଅଭିଯାନ ବନ୍ଦ ରହିଛି। ସେହିପରି ୨୭ଟି ଦେଶରେ ମିଳିମିଳା ପ୍ରତିଷେଧକ ଟୀକା ଦେବା ସମ୍ଭବ ହୋଇ ପାରିନାହିଁ। ଆର୍ଥିକ ଦୃଷ୍ଟିରୁ ଗରିବ ଏବଂ ମଧ୍ୟମ ବର୍ଗ ଦେଶରେ ସହିତ ବିକଶିତ ରାଷ୍ଟ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଛି। ମିଶଗାନ୍‌ରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ୫୦ ପ୍ରତିଶତରୁ କମ୍‌ ହୋଇଛି। ସେହିପରି ନ୍ୟୁୟର୍କରେ ଲକ୍‌ଡାଉନ୍‌ ଯୋଗୁ ଗତ ୬ ସପ୍ତାହ ଧରି କୌଣସି ଶିଶୁ ଟୀକାକରଣ ଅଭିଯାନ କରାଯାଇ ନାହିଁ। ଆଫ୍ରିକାକୁ ସିରିଞ୍ଜ୍‌ ଏବଂ ପ୍ରତିଷେଧକ ଟୀକା ନେଇ ଆସୁଥିବା ୮୦ଟି ବିମାନର ଉଡ଼ାଣକୁ ରଦ୍ଦ କରାଯାଇଛି। ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହେବାରୁ ୮ କୋଟି ଶିଶୁଙ୍କ ଉପରେ ସଙ୍କଟ ଦେଖାଦେଇଛି। ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share