କରୋନା ସଂକ୍ରମଣ: ରାସ୍ତାରେ ପଡ଼ିଥିବା ୫୦୦ ଟଙ୍କିଆ ନୋଟ୍‌କୁ ବି ଛୁଇଁଲେନି ଲୋକେ !

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲୋକେ ରାସ୍ତାଘାଟରେ ପଡ଼ିଥିବା କୌଣସି ସନ୍ଦିଗ୍ଧ ବସ୍ତୁକୁ ଛୁଇଁବାକୁ ମଧ୍ୟ ଚାହୁଁ ନାହାଁନ୍ତି। ଦିଲ୍ଲୀର ସେଣ୍ଟ୍‌ ଲରେନ୍ସ୍‌ ରୋଡ୍‌ରେ ରାସ୍ତା କଡ଼ରେ ବହୁ ଗୁଡ଼ିଏ ୫୦୦ ଟଙ୍କିଆ ନୋଟ୍‌ ପଡ଼ିଥିଲା। ତେବେ ଏହାକୁ ବାଟରେ ଯାଉଥିବା ଲୋକେ ଦେଖି ମଧ୍ୟ ନ ଦେଖିଲା ଭଳି ଚାଲି ଯାଉଥିଲେ। କାଳେ ନୋଟ୍‌କୁ କେହି କରୋନା ସଂକ୍ରମିତ ଛୁଇଁଥିବେ ଅବା କେହି ଜାଣିଶୁଣି ସଂକ୍ରମଣ ବୃଦ୍ଧି ପାଇଁ ଏଭଳି କରିଥାଇପାରନ୍ତି, ସେନେଇ ଲୋକଙ୍କ ମଧ୍ୟରେ ଭୟ ବସା ବାନ୍ଧିଥିଲା। ତେଣୁ ଟଙ୍କାର ଲୋଭ ବି ଲୋକଙ୍କୁ ବିଚଳିତ କରିପାରି ନ ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନୋଟ ଗୁଡ଼ିକୁ ସାନିଟାଇଜ୍‌ କରିବା ପରେ ଏହାକୁ ଲଫାପାରେ ଭର୍ତ୍ତି କରି ଷ୍ଟେଶନକୁ ନେଇଯାଇଥିଲେ। ତେବେ କିଛି ସମୟ ପରେ ଜଣେ ମହିଳା ଷ୍ଟେଶନରେ ନୋଟ୍‌ ନେବାକୁ ପହଞ୍ଚିଥିଲେ। ସେ କହିଥିଲେ ତାଙ୍କଘର ରାସ୍ତାକଡ଼ରେ। ସେ ଏଟିଏମ୍‌ରୁ ଟଙ୍କା ବାହାର କରିବା ପରେ ଏହାକୁ ସାନିଟାଇଜ୍‌ କରି ବାଲକୋନୀରେ ଶୁଖାଇଥିଲେ। ପବନରେ କିଛି ନୋଟ୍‌ ଉଡ଼ିଆସି ରାସ୍ତାରେ ପଡ଼ିଥିଲା। ଏହା ପରେ ପ୍ରମାଣ ଆଧାରରେ ସମ୍ପୃକ୍ତ ମହିଳାଙ୍କୁ ନୋଟ୍‌ ଫେରାଇ ଦିଆଯାଇଥିବା କୁହାଯାଉଛି।

Share