କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ହେବ ମର୍ସ ପ୍ରତିଷେଧକ ଟୀକା: ମୂଷାଠାରେ ସଫଳତାର ସହ ପରୀକ୍ଷଣ !

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା ନିରୀକ୍ଷା ଜାରି ରହିଛି। ତେବେ ମର୍ସ (ମିଡିଲ୍‌ ଇଷ୍ଟ୍‌ ରେସୋପାରେଟୋରୀ ସିଣ୍ଡ୍ରମ୍‌)ପ୍ରତିଷେଧକ ଟୀକା କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ହେବ ବୋଲି ଆମେରିକାର ଜର୍ଜିଆ ଏବଂ ଲୋଓ୍ବା ବିଶ୍ୱବିଦ୍ୟାଳୟର ଗବେଷକ ଦାବି କରିଛନ୍ତି। ମର୍ସ ଟୀକା କୋଷିକାରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ଏହା କରୋନା ସଂକ୍ରମଣ କ୍ଷେତ୍ର ମଧ୍ୟ ସଫଳ ରହିବ ବୋଲି ଗବେଷକ କହିଛନ୍ତି। ଏହି ଟୀକାକୁ ମୂଷା ଶରୀରରେ ସଫଳତାର ସହିତ ପ୍ରୟୋଗ କରାଯାଇଛି। ଏନେଇ ଏମ୍‌ବାୟୋ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଟୀକାରେ ପାରାଏନଫ୍ଲୁଏଞ୍ଜା ଭୂତାଣୁ(ପିଆଇ-୫) ରହିଛି। ଏଥିରେ ସ୍ପାଇକ୍‌ ପ୍ରୋଟିନ୍‌ ରହିଥାଏ। ଏହାକୁ ପ୍ରୟୋଗ କରାଯିବାରୁ ମୂଷା ମର୍ସରୁ ମୁକ୍ତ ହୋଇଥିବା ଗବେଷକ କହିଛନ୍ତି। ଏନେଇ ଲୋଓ୍ବା ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଫେସର ପୋଲ ମୋକ୍ରେ କହିଛନ୍ତି କରୋନା ସଂକ୍ରମଣ ରୋକିବା ପାଇଁ ପାରାଏନଫ୍ଲୁଏଞ୍ଜା ଭୂତାଣୁର ପ୍ରୟୋଗ ଦ୍ୱାରା ବେଶ୍‌ ସଫଳତା ମିଳିବ। ଅଧିକ ପରୀକ୍ଷା ନିରୀକ୍ଷା ପରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Share