କରୋନା ସଂକ୍ରମଣ ରୋକିବା ଲାଗି ଆଫ୍ରିକାଠାରୁ ଶିକ୍ଷାଲାଭର ରହିଛି ଆବଶ୍ୟକତା: ଜାତିସଂଘ ମହାସଚିବ

ଜେନେଭା,୨୦।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ କହିଛନ୍ତି ଯେ, କରୋନା ସଂକ୍ରମଣ ରୋକିବା ପାଇଁ ବିକଶିତ ରାଷ୍ଟ୍ରମାନେ ଆଫ୍ରିକୀୟ ଦେଶ ଗୁଡ଼ିକଠାରୁ ଶିକ୍ଷାଲାଭର ଆବଶ୍ୟକତା ରହିଛି। ଆଫ୍ରିକୀୟ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫଳରେ ଏଠାରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ତୁଳନାତ୍ମକ ଭାବେ କମ୍‌ ରହିଛି। ଅନ୍ୟ ବିକଶିତ ଦେଶ ଆଫ୍ରିକୀୟ ଦେଶରେ ଗ୍ରହଣ କରାଯାଇଥିବା ପ୍ରଣାଳୀକୁ ଗ୍ରହଣ କରିବା ଉଚିତ। ଆଫ୍ରିକୀୟ ଦେଶଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ହଜାର ୨୨୫ ରହିଛି। ସେହିପରି ଏସବୁ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୯୨୫ ଛୁଇଁଛି। ଅପରପକ୍ଷରେ ବିକଶିତ ଦେଶ ଆମେରିକା, ରୁଷ୍‌, ସ୍ପେନ୍‌, ବ୍ରାଜିଲ୍‌, ବିଟ୍ରେନ୍‌, ଇଟାଲି, ଫ୍ରାନ୍ସ୍‌ ଆଦିରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ବିକଶିତ ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ପ୍ରାରମ୍ଭିକ ସମୟରୁ ଉଦ୍ୟମ ହୋଇଥିଲେ ସୁଫଳ ମିଳିଥାନ୍ତା ବୋଲି ସେ କହିଛନ୍ତି।

Share