କରୋନା ସଂକ୍ରମଣ ହେବା ପରେ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ କେତେ ସମୟ ଲାଗିଥାଏ

ଓ୍ବାଶିଂଟନ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପି ସାରିଛି। ହେଲେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ମିଳି ନ ଥିବାରୁ ଏଥିରେ ପୀଡିତ ଥିବା ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କେତେକ ସୁସ୍ଥ ମଧ୍ୟ ହେଉଛନ୍ତି। ହେଲେ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଯଦିଓ ୨୦୧୯ ଶେଷ ବେଳକୁ କରୋନା ପ୍ରଥମେ ଚାଇନାରେ ଦେଖାଦେଇଥିଲା ମାତ୍ର ୪ ମାସ ମଧ୍ୟରେ ଏହା ସାରା ବିଶ୍ୱକୁ ତା’ କବଳକୁ ନେଇ ସାରିଲାଣି। ଏବେ ପ୍ରଶ୍ନ ଉଠୁଛି ଯଦି ଜଣେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି ବୋଲି ଡାକ୍ତର ଘୋଷଣା କରୁଛନ୍ତି ତଥାପି ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ କେତେ ସମୟ ଲାଗିବ। ଏହା ଏକ ସ୍ବାଭାବିକ ପ୍ରଶ୍ନ ହୋଇଥିବା ବେଳେ ବିଶେଷଜ୍ଞମାନଙ୍କ ମତରେ ରୋଗୀଟି କେତେ ପରିମାଣରେ ସଂକ୍ରମିତ ହୋଇଛି ତାହା ଦେଖି ହିଁ କହିହେବ ସେ କେତେଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଆହୁରି ମଧ୍ୟ ସୁସ୍ଥ ହେବା ପାଇଁ ଜଣଙ୍କର ବୟସ, ଲିଙ୍ଗ ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ନିର୍ଭର କରିଥାଏ। ତେବେ ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଯେତେ ଅଧିକ ସମୟ ଲାଗିବ ସେପଟେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସେତିକି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଯେଉଁମାନଙ୍କଠାରେ କରୋନାର ପ୍ରଥମ ଲକ୍ଷଣ ପ୍ରକାଶ ପାଇବା ପରେ ପରେ ଚିକିତ୍ସା କରାଯାଇଛି ସେମାନେ ଗୋଟିଏରୁ ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ଯେଉଁମାନଙ୍କ ନିକଟରେ କରୋନାର ଜଟିଳ ଲକ୍ଷଣ ପ୍ରକାଶ ପାଇଛି ସେଭଳି ରୋଗୀଙ୍କୁ ସୁସ୍ଥ ହେବାକୁ ପାଖାପାଖି ୮ ସପ୍ତାହ ଲାଗିପାରେ। ହେଲେ ଯେଉଁମାନେ କରୋନା ସଂକ୍ରମଣକୁ ନେଇ ଅତି ଜଟିଳ ସମସ୍ୟାରେ ପଡିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ମାସ ମାସ ଲାଗିଯାଇପାରେ ବୋଲି କୁହାଯାଉଛି।

Share