କରୋନା ସଂକ୍ରମିତଙ୍କର ଅପରେଶନ ହେଲେ ବଢ଼ିଥାଏ ମୃତ୍ୟୁ ଆଶଙ୍କା

ବର୍ମିଂହାମ୍‌,୩୦।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମିତଙ୍କର ଯଦି କୌଣସି ଅପରେଶନ କରାଯାଏ ତେବେ ମୃତ୍ୟୁ ଆଶଙ୍କା ବଢ଼ିଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଇଂଲଣ୍ଡର ବର୍ମିଂହାମ୍‌ ବିଶ୍ୱ ବିଦ୍ୟାଳୟର ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ରିସର୍ଚ୍ଚରେ ଏହି ଗବେଷଣା ସମ୍ପନ୍ନ ହୋଇଛି। ଗବେଷକ ଦଳ ଏସିଆ, ଆଫ୍ରିକା ଏବଂ ଉତ୍ତର ଆମେରିକାର୨୩୫ ହସ୍ପିଟାଲରେ ୧,୧୨୮ ସଂକ୍ରମିତଙ୍କ ଉପରେ ପରୀକ୍ଷା କରି ଏହା ଜାଣିପାରିଛନ୍ତି। ଅପରେଶନ୍‌ ହୋଇଥିବା ସଂକ୍ରମିତଙ୍କ କ୍ଷେତ୍ରରେ ମୃତ୍ୟୁ ହାର ୨୩.୮ ପ୍ରତିଶତ ଥିବା ଗବେଷକ ସୂଚନା ଦେଇଛନ୍ତି। ସେହିପରି ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ହାର ଅଧିକ ରହିଥିବା ଏଥିରେ ଦର୍ଶାଯାଇଛି। ପୁରୁଷଙ୍କ ମୃତ୍ୟୁ ହାର ୨୮.୪ ପ୍ରତିଶତ ଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୧୮.୨ ପ୍ରତିଶତ ରହିଛି। ଅପରପକ୍ଷରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ମୃତ୍ୟୁ ହାର ୩୩.୭ ପ୍ରତିଶତ ଥିବାବେଳେ ୭୦ରୁ କମ୍‌ ବୟସ୍କଙ୍କଠାରେ ଏହା ୧୩.୯ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଅପରେଶନ ପରେ ରୋଗ ପ୍ରତିରୋଧକ କ୍ଷମତା କମୁଥିବାରୁ ଏପରି ହେଉଥିବା ଗବେଷକ ଡ. ଅନୀଲ ଭାଗନୁ କହିଛନ୍ତି। ତେଣୁ କରୋନା ସଂକ୍ରମଣ ସମୟରେ ପୃଥିବୀର ବିଭିନ୍ନ ହସ୍ପିଟାଲରେ ୨ କୋଟି ୮୪ ଲକ୍ଷରୁ ଅଧିକ ଲୋକଙ୍କର ଅପରେଶନ ବନ୍ଦ କରାଯାଇଥିବା ସେ କହିଛନ୍ତି।

Share