କରୋନା ସଂକ୍ରମିତଙ୍କୁ ଭଲ କରିବ ‘ଇଣ୍ଟରଫେରନ’

ଟରଣ୍ଟୋ,୧୭।୫(ପି.ଟି.): ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ବିଶେଷକରି କୋଭିଡ୍‌-୧୯ର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବାରୁ ଏହା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକ ଓ ଗବେଷକମାନେ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ କେତେଜଣ ଗବେଷକଙ୍କ ମତରେ ପୂର୍ବରୁ ବ୍ୟବହାର ହେଉଥିବା ଆଣ୍ଟି ଭାଇରାଲ ଔଷଧକୁ ବ୍ୟବହାର କଲେ କୋଭିଡ୍‌-୧୯ ସଂକ୍ରମିତ ଭଲ ହୋଇପାରିବେ। ଏହସହ ସଂକ୍ରମିତଙ୍କ ସଂଖ୍ୟା ବେଶ୍‌ ହ୍ରାସ ପାଇବ ବୋଲି ଗବେଷକମାନେ କହିଛନ୍ତି। ଫ୍ରଣ୍ଟିୟର ଜର୍ନାଲରେ ପ୍ରକାଶିତ ଇମ୍ୟୁନୋଲୋଜି, ଟ୍ରିଟମେଣ୍ଟ ହ୍ବିଥ ଦ ଡ୍ରଗ୍‌ ‘ଇଣ୍ଟରଫେରନ୍‌’(ଆଇଏଫ୍‌ଏନ୍‌)-ଏ2ବି ଆଣ୍ଟି ଭାଇରାଲ ଭୂତାଣୁ ହ୍ରାସ କରିବାରେ ସହଯୋଗ କରିବା ସହ କୋଭିଡ-୧୯ ସଂକ୍ରମିତଙ୍କ ପ୍ରୋଟିନ ପ୍ରଦାହକ ପ୍ରକ୍ରିୟା (ଇନ୍‌ଫ୍ଲେମେଟୋରୀ ପ୍ରୋଟିନ୍‌) ସ୍ତରକୁ ହ୍ରାସ କରିବ ବୋଲି ଉଲ୍ଲେଖ ରହିଛି। କାନାଡ଼ା ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଏହି ବୈଜ୍ଞାନିକଙ୍କ ମତରେ ଭୂତାଣୁ ହ୍ରାସ କରିବା ନେଇ ଇଣ୍ଟରଫେରନ୍‌ ଦୀର୍ଘବର୍ଷ ଧରି ବ୍ୟବହାର କରାଯାଇଆସୁଛି। ବିଶେଷକରି ନିଃଶ୍ୱାସପ୍ରଶ୍ୱାସ ପ୍ରକ୍ରିୟାରେ ଭୂତାଣୁ ଚିହ୍ନଟ କରିବାରେ ଅନ୍ୟ ଔଷଧ ଅପେକ୍ଷା ଏହା ସପ୍ତାହକ ମଧ୍ୟରେ କାମ କରିଥାଏ। ଗବେଷକଙ୍କ କହିବା ହେଲା , ଏହା ରୋଗ ପ୍ରତିଷେଧକ ବ୍ୟବସ୍ଥାର ଇଣ୍ଟରଲିଉକିନ୍‌ (ଆଇଏଲ୍‌)-୬ କଣିକା ଏବଂ ସି-ରିଆକ୍ଟିଭ ପ୍ରୋଟିନ (ସିଆର୍‌ପି)ରେ ରକ୍ତସ୍ତରକୁ ହ୍ରାସ କରିଥାଏ, ଯାହାକି ସଂକ୍ରମିତ ରୋଗୀଙ୍କଠାରେ ପ୍ରଦାହକଭାବେ କାର୍ଯ୍ୟ କରିଥାଏ।
କୌଣସି ଏକ ନୂଆ ଭୂତାଣୁ ପ୍ରତିହତ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବିକଶିତ କରିବା ଅପେକ୍ଷା ପୂର୍ବରୁ ଭୂତାଣୁ ହ୍ରାସ କରିବାରେ ବ୍ୟବହାର ହେଉଥିବା ଇଣ୍ଟରଫେରନ ଔଷଧକୁ ଉପଯୋଗ କରିବା ଆବଶ୍ୟକ ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକ ଏଲିଏନର ଫିସ୍‌ କହିଛନ୍ତି। ଇଣ୍ଟରଫେରନ ଔଷଧକୁ ଭୂତାଣୁ ହ୍ରାସ କରିବା କ୍ଷେତ୍ରରେ ଦୀର୍ଘବର୍ଷ ଧରି ବ୍ୟବହାର କରାଯାଉଛି। ତେଣୁ ଏହାକୁ କୋଭିଡ-୧୯ ଭଳି ଗୁରୁତର ସଂକ୍ରମିତଙ୍କଠାରେ ବ୍ୟବହାର କରାଗଲେ ବେଶ୍‌ ଲାଭଦାୟକ ହୋଇପାରିବ ବୋଲି ଫିସ୍‌ କହିଛନ୍ତି।

Share