କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର ଉପଯୋଗ ବେଶ୍‌ ସଫଳ ରହିଛି। ଚାଇନା ଏବଂ ଆମେରିକାର ଗବେଷକ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଉହାନ୍‌ରେ କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି ଦିଆଯାଇ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯାଇଥିଲା। ଗୁରୁତର କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ସମୟରେ ୧୫୦୦ମିଲିଗ୍ରାମ୍‌ ଭିଟାମିନ୍‌-ସି ଦିଆଗଲେ ବେଶ୍‌ ସୁଫଳ ମିଳିଥାଏ। ଏହାପରେ ସେମାନଙ୍କୁ ଦିନରେ ୩ରୁ ୪ଥର ଭିଟାମିନ୍‌-ସି ଦିଆଯିବା ଦ୍ୱାରା ସ୍ଥିତିରେ ବିକାଶ ଦେଖାଦେଇଥିବା ନ୍ୟୁୟର୍କର ନର୍ଥଓ୍ବେଲ ହସ୍ପିଟାଲର ଡାକ୍ତର ଏଣ୍ଡ୍ର୍ୟୁ ଓ୍ବେବର ସୂଚନା ଦେଇଛନ୍ତି। ଏହାର ପ୍ରୟୋଗ ପ୍ରଥମେ ଉହାନ୍‌ର ଝୋଙ୍ଗନନ୍‌ ହସ୍ପିଟାଲର ଡାକ୍ତରମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। କିଛି ସଂକ୍ରମିତଙ୍କଠାରେ ଏହାଦ୍ୱାରା ସୁଫଳ ମିଳିବାରୁ ଏହାକୁ ଅନ୍ୟ ରୋଗୀଙ୍କୁ ମଧ୍ୟ ଦିଆଯାଇଥିଲା। ସାଧାରଣତଃ ଦିନ ପିଛା ଜଣେ ସୁସ୍ଥ ପୁରୁଷଙ୍କୁ ୯୦ ମିଲିଗ୍ରାମ୍‌ ଏବଂ ମହିଳାଙ୍କୁ ୭୫ ମିଲିଗ୍ରାମ୍‌ ର ଭିଟାମିନ୍‌-ସି ଦିଆଯାଇଥାଏ। ତେବେ ଏହାର ୧୬ଗୁଣା ଭିଟାମିନ୍‌-ସି ଦିଆଗଲେ ଏହା କରୋନାଠାରୁ ଦୂରେଇ ରଖିବାକୁ ସକ୍ଷମ ହୋଇଥାଏ। ସେହିପରି କମଳା ରସ ମଧ୍ୟ ସଂକ୍ରମିତଙ୍କୁ ଦିଆଗଲେ ସୁଫଳ ମିଳିଥାଏ। ଭିଟାମିନ୍‌-ସି ସହିତ କରୋନା ସଂକ୍ରମିତଙ୍କୁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‌ ଏବଂ ଆଜିଥ୍ରୋମାଇସିନ୍‌ ଆଣ୍ଟିବାୟୋଟିକ୍ସ୍‌ ଦିଆଗଲେ ସୁଫଳ ମିଳୁଛି ବୋଲି ଓ୍ବେବର କହିଛନ୍ତି।

Share