କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଜାପାନ ପ୍ରସ୍ତୁତ କଲା ଟିଏକେ-୮୮୮ ଔଷଧ

ଟୋକିଓ,୨୩।୩: କରୋନା ସଂକ୍ରମଣ ଯୋଗୁ ସାରା ଦୁନିଆରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ କିପରି ରୋକା ଯିବ ସେ ନେଇ ଆମେରିକା ଏବଂ ଚାଇନା ଗବେଷଣା ଜାରି ରଖିଛନ୍ତି। ଆମେରିକା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଛି। ସେହିପରି ଚାଇନା ଗତ ଫେବୃୟାରୀଠାରୁ ଏନେଇ ନାନା ପରୀକ୍ଷା କରୁଛି। ଏପରିସ୍ଥଳେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଔଷଧ ପ୍ରସ୍ତୁତ କରିବା ଲାଗି ଜାପାନ ଅଣ୍ଟା ଭିଡ଼ିଛି। ଏହାର ନାମ ଟିଏକେ-୮୮୮ ରଖାଯାଇଛି। ଏହା ଅନ୍ୟ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ବେଶ୍‌ ସହାୟକ ହେବ ବୋଲି ଔଷଧ କମ୍ପାନୀ ଟାକେଡା ଫାର୍ମା ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସିରମ୍‌ ଅର୍ଥାତ୍‌ ବ୍ଲଡ୍‌ ପ୍ଲାଜମାରୁ ଆଣ୍ଟିବଡି ସଂଗ୍ରହ କରାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ଇତିମଧ୍ୟରେ କମ୍ପାନୀ ପକ୍ଷରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଇଣ୍ଟ୍ରାଭେନସ୍‌ ହିମୋଗ୍ଲୋବିନ୍‌ ଭାବେ ନାମିତ କରାଯାଇଛି। ଏହାର ପ୍ରସ୍ତୁତିରେ ମଧ୍ୟ ସୁସ୍ଥ ଲୋକଙ୍କ ଆଣ୍ଟିବଡିର ବ୍ୟବହାର କରାଯାଇଥିବା କମ୍ପାନୀ କହିଛି।

Share