କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମଣିଷ ଶରୀରର ରୋଗପ୍ରତିରୋଧକ କ୍ଷମତା ମୁଖ୍ୟତଃ ନ୍ୟୁଟ୍ରୋଫିଲ୍‌ ଏବଂ ଲିମ୍ଫୋସାଇଟ୍‌ ଉପରେ ନିର୍ଭର କରିଥାଏ। ଶରୀରରେ ନ୍ୟୁଟ୍ରୋଫିଲ୍‌ ଏବଂ ଲିମ୍ଫୋସାଇଟ୍‌ର ଅନୁପାତକୁ ବିଶେଷଜ୍ଞ ଏନ୍‌ଏଲ୍‌ଆର୍‌ ବାୟୋମାର୍କର କହିଥାନ୍ତି। ଯେଉଁମାନଙ୍କ ଶରୀରରେ ଏନ୍‌ଏଲ୍‌ଆର୍‌ ବାୟୋମାର୍କର ସ୍ବାଭାବିକ ରହିଥାଏ, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କରୋନା ସଂକ୍ରମଣ ଦ୍ୱାରା ଅଧିକ ଗୁରୁତର ହୋଇ ନ ଥାଏ। ଏହାର ପରୀକ୍ଷା ସାଧାରଣ ପାଥୋଲୋଜି କ୍ଲିନିକ୍‌ରେ ୪୦-୫୦ ଟଙ୍କାରେ ହୋଇପାରିଥାଏ। ଅତି ସାଧାରଣ ପରୀକ୍ଷା ଭଳି ଏହା ଜଣାପଡ଼ିଥାଏ। ମାତ୍ର କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବକି ନାହିଁ ତାହା ଏହି ପରୀକ୍ଷା ରିପୋର୍ଟରୁ ସହଜରେ ଆକଳନ କରାଯାଇପାରିଥାଏ ବୋଲି ବିଶେଷଜ୍ଞ କହିଛନ୍ତି।

Share