କରୋନା ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଇଲେ ଦିଲ୍ଲୀ ସରକାର: ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ରୋକିବା ଲାଗି ଦିଲ୍ଲୀ ସରକାର ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଯାଇଛି। ଅନ୍ୟ ଲୋକଙ୍କୁ ଏଭଳି ଘରଠାରୁ ଦୂରେଇ ରହିବା ପାଇଁ ପୋଷ୍ଟରରେ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ଜିଲା ପ୍ରଶାସନ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୋଷ୍ଟରରେ ପରିବାର ସଦସ୍ୟ ସଂଖ୍ୟା ଏବଂ କ୍ୱାରାଣ୍ଟାଇନ୍‌ ସମୟ ସୀମା ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ଘର ମାଲିକଙ୍କ ନାମ ଓ ଠିକଣା ଲେଖାଯାଇଛି। ଗତ ୩ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ରବିବାର ଉତ୍ତର ପଶ୍ଚିମ ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ କିଛି ଘର ଆଗରେ ଏଭଳି ପୋଷ୍ଟର ଲଗାଯାଇଛି। ବର୍ତ୍ତମାନ ସୁଦ୍ଧା ୧୧ ହଜାର ଘରକୁ ଏଭଳି କ୍ୱାରାଣ୍ଟାଇନ୍‌ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସମ୍ପୃକ୍ତ ଘରର ସଦସ୍ୟମାନଙ୍କୁ ୧୫ ଦିନ ପାଇଁ କ୍ୱାରାଣ୍ଟାଇନ୍‌ କରାଯାଇଛି। ଏହା ପରେ ସେମାନେ ସ୍ବାଭାବିକ ଭାବେ ଅନ୍ୟମାନଙ୍କ ସହିତ ମିଳାମିଶା କରିପାରିବେ।

Share