କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର-ନର୍ସ ହୋଇଛନ୍ତି ମାନସିକ ରୋଗଗ୍ରସ୍ତ !

ବେଜିଂ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ତେବେ ଉହାନରେ ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର ଏବଂ ନର୍ସ ମାନସିକ ରୋଗଗ୍ରସ୍ତ ହୋଇଥିବା କୁହାଯାଉଛି । କମ୍ ସମୟ ମଧ୍ୟରେ ହଜାର ହଜାର ସଂକ୍ରମିତଙ୍କ ମୃତ୍ୟୁ ଭେଣ୍ଟିଲେଟରରେ ହେଉଥିବାର ଦେଖି ସେମାନଙ୍କ ମାନସିକସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପଡ଼ିଥିବା କୁହାଯାଉଛି । ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୧୭.୫ ପ୍ରତିଶତ ଡାକ୍ତର ଏବଂ ନର୍ସ ମନୋଚିକିତ୍ସକଙ୍କ ପାଖକୁ ଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଉହାନରେ ୯୯୪ ଜଣ ଡାକ୍ତର ଏବଂ ନର୍ସଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ସେମାନଙ୍କୁ ସ୍ୱାଭାବିକ କରିବା ପାଇଁ ଏବେ ଚାଇନା ସରକାର ଗୁରୁତ୍ୱ ଦେଉଥିବା କୁହାଯାଉଛି । କିଭଳି ପୁଣି ଡାକ୍ତର-ନର୍ସମାନେ ପୂର୍ବପରି ଚିନ୍ତାମୁକ୍ତ ଭାବେ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ ତାହାର ଉଦ୍ୟମ ଅବ୍ୟାହତ ରହିଛି ।

Share