କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବେ କନିକା!

ଲକ୍ଷ୍ନୌ,୨୭।୪: ବଲିଉଡ୍‌ ସିଙ୍ଗର କନିକା କପୁର ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଜର ପ୍ଲାଜମା ଦାନ କରିବେ ବୋଲି ଜଣାପଡିଛି। ନିକଟରେ ସେ ଚିକିତ୍ସିତ ହେଉଥିବା ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ପିଜିଆଇ) ସହ ଏଥିପାଇଁ ଯୋଗାଯୋଗ କରିଥିବା କୁହାଯାଉଛି। କନିକା ନିଜେ କରୋନାରେ ସଂକ୍ରମିତ ହେବା ପରେ ପିଜିଆଇରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଏ କ୍ଷେତ୍ରରେ ସେ ସହଯୋଗର ହାତ ବଢାଇଛନ୍ତି ବୋଲି କୁହାଯାଉଛି। ଦିଲ୍ଲୀରେ ପ୍ରଥମ କରି ଜଣେ ଯୁବକ କରୋନାରୁ ଭଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସେ ପ୍ଲାଜମା ଡୋନେଟ କରିବାକୁ ଆଗେଇ ଆସିଥିଲେ। ତେବେ କରୋନା ଯୁଦ୍ଧରେ ବିଜୟୀ ହେବାକୁ ହେଲେ ପ୍ଲାଜମା ଥେରାପି ଆଉ ଏକ ମାଧ୍ୟମ ବୋଲି କୁହାଯାଉଛି। ଏବେବି କରୋନା ଦେଶରେ ତାଣ୍ଡବ ରଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ମୁହାଁ ହୋଇଛି। ତେଣୁ ଏହାକୁ ରୋକିବାକୁ ସମସ୍ତେ ମିଳିମିଶି ପ୍ରୟାସ ଜାରି ରଖିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Share