Categories: ଜାତୀୟ

କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪: ପର୍ଯ୍ୟବେକ୍ଷଣରେ ୩୫ ହଜାର ସନ୍ଦିଗ୍ଧ

ନୂଆଦିଲ୍ଲୀ,୧୩।୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକ ସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ସଦସ୍ୟମାନଙ୍କ ସହଯୋଗ ଲୋଡ଼ିଥିଲେ। ଏମ୍‌ପିମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଚେତନତା ବଢ଼ାଇବାକୁ ସେ ଅନୁରୋଧ କରିଥିଲେ। କେବଳ ବିମାନବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି ତାହା ନୁହେଁ, ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଏକାଧିକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଥିଲେ। ୩୫,୦୦୦ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବାବେଳେ ରାଜ୍ୟ ସରକାରମାନଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିରନ୍ତର ଯୋଗାଯୋଗରେ ରହିଛି। ୩୦ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ଉପଯୁକ୍ତ ଭାବେ ଯାଞ୍ଚ କରାଯାଉଛି। ତେଣୁ ଯାଞ୍ଚକୁ ନେଇ ସନ୍ଦେହ କରିବାର କିଛି କାରଣ ନାହିଁ ବୋଲି ହର୍ଷବର୍ଦ୍ଧନ କହିଥିଲେ। କରୋନା ପରୀକ୍ଷା ପାଇଁ ୫୧ଟି ଲାବ୍‌ ଓ ୫୬ଟି ସଂଗ୍ରହ କେନ୍ଦ୍ର ନିୟୋଜିତ ରହିଛନ୍ତି। ଏହା ବ୍ୟତୀତ ୧୦୦ଟି ସମନ୍ବୟ କେନ୍ଦ୍ର କାର୍ଯ୍ୟ କରୁଥିବା ମନ୍ତ୍ରୀ କହିଥିଲେ। କରୋନା ଯାଞ୍ଚ ଲାଗି ପାର୍ଲାମେଣ୍ଟ ଭବନରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଇବାକୁ ବିଜେଡି ସଦସ୍ୟ ପିନାକୀ ମିଶ୍ର ଦାବି କରିଥିଲେ। ସେ କହିଥିଲେ ଇରାନ ପାର୍ଲାମେଣ୍ଟର କେତେଜଣ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି। ତେଣୁ ପାର୍ଲାମେଣ୍ଟରେ ଥର୍ମାଲ ଇମେଜିଂ କ୍ୟାମେରା ଲଗାଇବାକୁ ସେ ଅନୁରୋଧ କରିଥିଲେ।
ଗୁରୁବାର ମହାରାଷ୍ଟ୍ରରେ ୯ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀ, ଲଦାଖ, ଉତ୍ତରପ୍ରଦେଶରେ ଜଣେ ଲେଖାଏ ସଂକ୍ରମିତ ହୋଇଛନ୍ତି। ଏଥିସହିତ ଜଣେ ବିଦେଶୀ ମଧ୍ୟ ଭୂତାଣୁ ସଂକ୍ରମିତ ଥିବା ଜଣାପଡ଼ିଛି। ଫଳରେ ଭାରତରେ କରୋନା ରୋଗୀସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୬ ଜଣଙ୍କଠାରେ କରୋନା ପଜିଟିଭ୍‌ ଜଣାପଡ଼ିଥିବାବେଳେ ଉତ୍ତରପ୍ରଦେଶରେ ୧୦, କର୍ନାଟକରେ ୪, ମହାରାଷ୍ଟ୍ରରେ ୧୧, ଲଦାଖରେ ୩, ରାଜସ୍ଥାନ, ତେଲଙ୍ଗାନା, ତାମିଲନାଡୁ, ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ଜଣେ ଲେଖାଏ ଭୂତାଣୁ ସଂକ୍ରମିତ ହୋଇଛନ୍ତି। କେରଳରେ ସର୍ବାଧିକ ୧୭ ରୋଗୀଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ବ୍ୟତୀତ ୧୭ ବିଦେଶୀ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି।

Share