କରୋନା ସଂକ୍ରମିତ ପିଜା ଡେଲିଭରି ବୟଙ୍କ ପାଇଁ ୭୨ ଜଣ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୬।୪: ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦ୍ୱିତୀୟରୁ ତୃତୀୟ ଷ୍ଟେଜକୁ ଯିବାକୁ ଯେମିତି ଅନାଇ ରହିଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ ଜଣେ ପିଜା ଡେଲିଭରି ବୟ କରୋନାରେ ସଂକ୍ରମିତ ହେବା ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି। ଉକ୍ତ ଯୁବକଙ୍କଠାରୁ ପ୍ରାୟ ୭୨ ଲୋକ ସଂକ୍ରମିତ ହେବାର ଆଶଙ୍କା କରି ଏମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଥିବା କହିଛି ପ୍ରଶାସନ। ଦକ୍ଷିଣ ଦିଲ୍ଲୀ, ହୋଜ ଖାସ ଓ ମାଲବିୟ ନଗରରେ ଏହି ଲୋକମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ଜଣାପଡିଛି। ମାର୍ଚ୍ଚ ଶେଷ ସପ୍ତାହ ପର୍ଯ୍ୟନ୍ତ ସେ ହୋମ ଡେଲିଭରି ଦେଉଥିବା ବେଳେ କିଛିଦିନ ତଳେ ଡାଏଲିସିସ ପାଇଁ ଏକ ଘରୋଇ ହସ୍ପିଟାଲକୁ ଯାଇଥିବା ବେଳେ ସେହିଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ। ଏହାସହ ତାଙ୍କ ସମ୍ପର୍କରେ ଆସିଥିବା ଆଉ ୧୭ଜଣ ଡେଲିଭରି ବୟଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଥିବା କହିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।

Share