କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏଭଳି ସ୍ଥଳେ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ତେବେ ପେଟେଇ ଶୋଇଲେ ଏହି ସମସ୍ୟା କେତେକାଶଂରେ ଦୂର ହୋଇଥାଏ ବୋଲି ଚାଇନାର କେତେକ ଗବେଷକ କହିଛନ୍ତି। ଚାଇନାର ଏହି ଗବେଷଣା ରିପୋର୍ଟ ଏବେ ଆମେରିକାର ରେସୋପାଟୋରୀ ଆଣ୍ଡ୍‌ କ୍ରିଟିକାଲ କେୟାର ମେଡିସିନ୍‌ ପତ୍ରିକାରେ ପ୍ରକାଶ ପାଇଛି। ଚାଇନାର ଉହାନରେ ଗୁରୁତର କରୋନା ସଂକ୍ରମିତଙ୍କ ଉପରେ ଏହା ପରୀକ୍ଷା କରାଯାଇଥିବା ରିପୋର୍ଟ ଦର୍ଶାଯାଇଛି। ପେଟେଇ ଶୋଇବା ସମୟରେ ସଂକ୍ରମିତଙ୍କ ମୁଣ୍ଡକୁ ତକିଆରେ ରଖିବା ଆବଶ୍ୟକ। ଚାଇନାର ସାଉଥଓ୍ବେଷ୍ଟ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ଏନେଇ ୧୦ ଗୁରୁତର କରୋନା ସଂକ୍ରମିତଙ୍କ ଉପରେ ଗବେଷଣା କରାଯାଇଥିଲା। ଗବେଷକ ପ୍ରଫେସର ହେବୋ କ୍ୟୁଙ୍କ ଅନୁସାରେ ଏଭଳି ଶୋଇବା ଦ୍ୱାରା ଫୁସଫୁସ୍‌ ଉପରେ ସକରାତ୍ମକ ଚାପ ପଡ଼ିଥାଏ। ଫଳରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥାଏ। ଗବେଷଣାରେ ୭ ଜଣ ରୋଗୀଙ୍କୁ ପେଟେଇ ଶୋଇବା ଦ୍ୱାରା ସୁଫଳ ମିଳିଥିଲା। ତେବେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏକ ସପ୍ତାହ ଧରି ଏହି ଗବେଷଣା ଜାରି ରହିଥିଲା। କରୋନା ଚିକିତ୍ସା କ୍ଷେତ୍ରରେ ସଂକ୍ରମିତଙ୍କ ଶୋଇବା ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share