କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେଲା ପ୍ରାୟ ୮ କୋଟି ୩୫ ଲକ୍ଷ ଟଙ୍କା

ଓ୍ବାଶିଂଟନ,୧୪।୬:କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ୩୫। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ସିଆଟେଲର ବାସିନ୍ଦା ମାଇକେଲ ଫ୍ଲୋର କରୋନା ସଂକ୍ରମିତ ହୋଇ
ଗତ ମାର୍ଚ୍ଚ ୪ରେ ନର୍ଥୱେଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୬୨ ଦିନ କରୋନା ସହିତ ଲଢ଼େଇ କରି ଶେଷରେ ଜିତିଲେ ୭୦ ବର୍ଷୀୟ ବୃଦ୍ଧ ଫ୍ଲୋର। ଶନିବାର ହସ୍ପିଟାଲରୁ ଡିସଚାର୍ଜ ହେବା ବେଳେ ତାଙ୍କର ବିଲ୍‌ ୮ କୋଟି ୩୫ ଲକ୍ଷରୁ ଅଧିକ ଆସିଛି। ଡିସଚାର୍ଜ ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କୁ ୧୮୧ ପୃଷ୍ଠାର ବିଲ ଧରାଇଥିଲେ। ସେ ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଲର ପ୍ରାୟ ଏକ ଚତୁର୍ଥାଂଶ ଔଷଧ ପାଇଁ ଖର୍ଚ୍ଚ ହୋଇଥିଲା। ଆଇସିୟୁରେ ୪୨ ଦିନ ରହିବା ପାଇଁ ମାଇକେଲଙ୍କୁ ୩.୧ କୋଟି ଟଙ୍କା ଆଦାୟ କରାଯାଇଥିଲା। ୨୯ ଦିନ ଭେଣ୍ଟିଲେଟରରେ ରହିବା ପାଇଁ ୬୨ ଲକ୍ଷ ଟଙ୍କା ଅଲଗା ଚାର୍ଜ ରଖାଯାଇଥିଲା। ଚିକିତ୍ସା ସମୟରେ ୨ ଦିନ ମାଇକେଲଙ୍କ ହାର୍ଟ, କିଡନୀ ଏବଂ ଫୁସଫୁସ କାମ ବନ୍ଦ କରିଦେଲା। ସେହି ଦୁଇ ଦିନରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୭୬ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ମାଇକେଲଙ୍କ ବୀମା ଥିବାରୁ ତାଙ୍କୁ ଏତେ ଟଙ୍କା ଦେବାକୁ ପଡି ନ ଥିଲା।

Share