ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କୁ ମୋବାଇଲ ବ୍ୟବହାର କରିବାକୁ ମନା କରାଯିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଇସୋଲେଶନ ଓ୍ବାର୍ଡରେ ରହୁଥିବା କରୋନା ସଂକ୍ରମିତଙ୍କୁ ମୋବାଇଲ ବାରଣ କରାଯିବା ସରକାରଙ୍କ ମିସ୍ମ୍ୟାନେଜମେଣ୍ଟ ଓ ଏହା ଦୁର୍ଭାଗ୍ୟପୂର୍ଣ୍ଣ। ଅଖିଳେଶ କହିଛନ୍ତି ମୋବାଇଲ ଦ୍ୱାରା ଯଦି କରୋନା ଭାଇରସ ସଂକ୍ରମଣ ହେଉ ଥାଆନ୍ତା ତେବେ ସମଗ୍ର ଦେଶରେ ଏହାକୁ ବ୍ୟାନ କରାଯାଇଥାଆନ୍ତା। କିନ୍ତୁ ଆଇସୋଲେଶନରେ ରହୁଥିବା ରୋଗୀଙ୍କ ଏକୁଟିଆ ପଣ ଦୂର କରିବାକୁ ମୋବାଇଲ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ମୋବାଇଲ ଫୋନ୍ ଏକ ପ୍ରକାର ମାନସିକ ସମର୍ଥନ ବୋଲି ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଯେଉଁ କରୋନା ସଂକ୍ରମିତ ରୋଗୀ ଏଲ-୨ ଓ ଏଲ୍-୩ କୋଭିଡ ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ରହିଛନ୍ତି ସେମାନଙ୍କୁ ମୋବାଇଲ ରଖିବାକୁ ବାରଣ କରାଯାଇଛି। ଏମିତିକି ଏହି ହସ୍ପିଟାଲରେ ୨ଟି ଫୋନ୍ ଯୋଗାଇ ଦିଆଯାଇଛି ଯାହା ମାଧ୍ୟମରେ ଆଇସୋଲେଶନରେ ଥିବା ରୋଗୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇପାରିବେ।