କରୋନା ସକାଶେ ଆଜି ସବୁ ପୌରାଞ୍ଚଳ ଓ୍ବାର୍ଡରେ ବୈଠକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସହରାଞ୍ଚଳ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଶନିବାର ସବୁ ପୌରାଞ୍ଚଳର ପ୍ରତ୍ୟେକ ଓ୍ବାର୍ଡରେ ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାଗୁଡିକୁ ଶୁକ୍ରବାର ଚିଠି ଲେଖିଛନ୍ତି। ଏ ବାବଦରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଶନିବାର ପୂର୍ବାହ୍ନ ୧୦ଟାରେ ଓ୍ବାର୍ଡ ଅଫିସରମାନେ ନିଜ ଅଞ୍ଚଳରେ ବୈଠକ ଡାକିବେ। ବୈଠକରେ ପୂର୍ବତନ ଏବଂ ବର୍ତ୍ତମାନର କର୍ପୋରେଟର ଏବଂ କାଉନ୍ସିଲରମାନେ ଯୋଗଦେବା ସହିତ ସାଧାରଣ ଲୋକମାନେ ସାମିଲ ହୋଇ ନିଜ ନିଜର ମତାମତ ରଖିପାରିବେ। ଯଦି ଲୋକ ସଂଖ୍ୟା ଅଧିକ ହୁଏ, ତେବେ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଆଲୋଚନା କରିବାକୁ କୁହାଯାଇଛି। ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀକୁ ଓ୍ବାର୍ଡ ଅଫିସରମାନେ ସମସ୍ତଙ୍କୁ ଜଣାଇବେ। କରୋନା ସଚେତନତା ନେଇ ପୌରସଂସ୍ଥା ସହିତ ସାଧାରଣ ଲୋକମାନଙ୍କୁ ଯେପରି ଜଡିତ କରାଯାଇପାରିବ ସେନେଇ ମଧ୍ୟ ବୈଠକରେ ସୂଚନା ଦିଆଯିବ। ସୁରୁଖୁରୁରେ ବୈଠକ କରିବାକୁ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ପଠାଯାଇଛି।

Share