କରୋନା ସଙ୍କଟରେ ଆତଙ୍କବାଦୀଙ୍କ ବ୍ଲୁ-ପ୍ରିଣ୍ଟ୍‌: ଚାକିରି ହରାଇଥିବା ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନା କରୁଛନ୍ତି ଜୈଶ୍‌-ଲଶ୍କର-ହିଜବୁଲ୍‌ ମୁଜାହିଦ୍ଦିନ୍‌

ବ୍ରସେଲ୍ସ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ବହୁ ଯୁବବର୍ଗ ଚାକିରି ହରାଇ ବେକାର ରହିଛନ୍ତି। ଏପରିସ୍ଥଳେ ଜୈଶ୍‌, ଲଶ୍କର ଏବଂ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କ ବ୍ରେନ୍‌ ଡ୍ରେନ୍‌ କରାଇବାର ଯୋଜନା କରୁଛନ୍ତି। ବେକାର ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରାଯିବା ଲାଗି ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ଏସମ୍ପର୍କରେ ବେଲଜିୟମ୍‌ର ଏକ ଟିଙ୍କ୍‌ ଟାଙ୍କ୍‌ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଜୈଶ୍‌ ମହମ୍ମଦ, ଲଶ୍କର-ଇ-ତୋଏବା ଏବଂ ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନ ପକ୍ଷରୁ ନୂତନ ନିଯୁକ୍ତି କରାଯିବା ଲାଗି ଉଦ୍ୟମ ଜାରି ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଯୋଗୁ ଦେଖାଦେଇଥିବା ଆର୍ଥିକ ସଙ୍କଟର ଲାଭ ଉଠାଇ ଏସବୁ ଆତଙ୍କବାଦୀ ସଂଗଠନ ନିଜ ନିଜର କାୟା ବିସ୍ତାର ଲାଗି ଯୋଜନା କରୁଥିବା ବ୍ରସେଲ୍ସ୍‌ ସ୍ଥିତ ଥିଙ୍କ ଟାଙ୍କ୍‌ ଏବଂ ଦକ୍ଷିଣ ଏସିଆ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ର ନିର୍ଦ୍ଦେଶକ ଡ. ସିଗ୍‌ଫ୍ରିଡ୍‌ ଓ୍ବଲ୍ଫ ସୂଚନା ଦେଇଛନ୍ତି। ଆତଙ୍କବାଦ ସଂଗଠନଗୁଡ଼ିକ ବହୁ ପୂର୍ବରୁ ଏଭଳି ଏକ ସୁଯୋଗର ଅପେକ୍ଷାରେ ଥିବା ସେ କହିଛନ୍ତି।

Share