‘କରୋନା’ ସଚେତନତା କାର୍ଯ୍ୟକ୍ରମରେ ଯାତ୍ରା କଳାକାର ଦୈତାରୀ, ଦାମ

ଔପଦା,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ଓ ଗଡ଼ସାହି ହାଟରେ ଗୁରୁବାର ଅପରାହ୍ନରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜନହିତ ଯୁବକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ଦାମୋଦର ପଣ୍ଡା ସାମିଲ ହୋଇଥିଲେ।
ଖଇରା ଜନହିତ ଯୁବକ ସଂଘର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଔପଦା ବଜାରରେ ପହଞ୍ଚିଥିଲେ। ବିଶିଷ୍ଟ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ଦାମ ପଣ୍ଡା ସ୍ବେଚ୍ଛାସେବୀମାନଙ୍କ ସହ ସାମିଲ ହୋଇ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ଘଣ୍ଟା ବଜାଇ କରୋନାକୁ ଭୟ କର ନାହଁି, ସତର୍କ ରୁହ ସ୍ଲୋଗାନ ଦେଇ ଗଡ଼ସାହି ହାଟରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ତାଙ୍କ ସହ ଯୋଗଦେଇଥିଲେ। ଗଡ଼ସାହି ହାଟ ମଧ୍ୟସ୍ଥ ଏକ ଖୋଲା ସ୍ଥାନରେ ସ୍ବେଚ୍ଛାସେବୀମାନଙ୍କ ସହ କଳାକାର ଦୈତାରୀ ପଣ୍ଡା ଲୋକଙ୍କୁ ସାବୁନରେ ଦିନକୁ ବାରମ୍ବାର ହାତ ଧୋଇବା ସହ କାଶ, ଛିଙ୍କ, ଜ୍ୱର ହୋଇଥିବା ବ୍ୟକ୍ତିଙ୍କଠାରୁ ଏକ ମିଟର ଦୂରତାରେ ରହିବା ସହ ଅଯଥା ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସହ ମିଳାମିଶା ନ କରିବା ଭଲ ଏବଂ କାଶ ଜ୍ୱର ନ ଛାଡ଼ିଲେ ନିକଟସ୍ଥ ଡାକ୍ତରଖାନା ଯାଆନ୍ତୁ ବୋଲି ନିବେଦନ କରିଥିଲେ।