କରୋନା ସଚେତନତା ଗୀତ ଗାଇଲେ ଏସ୍‌ପି

ପାରଳାଖେମୁଣ୍ଡି,୨୩।୩(ସ୍ବ.ପ୍ର.)-ମହାମାରୀ କରୋନାକୁ ପ୍ରତିହତ କରିବା ଦିଗରେ ଲୋକଙ୍କୁ ସଚେତନ କରାଯାଉଛି। ଏହା ମଧ୍ୟରେ ଗଜପତି ଏସ୍‌ପି ସାରା ଶର୍ମା ଲୋକଙ୍କ ପାଇଁ ସଚେତନତାମୂଳକ ଗୀତ ଗାଇଛନ୍ତି। ସୋମବାର ଏହା ଲୋକାର୍ପିତ ହୋଇଛି। ଜିଲା ସମନ୍ବିତ ଆଦିବାସୀ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଓ ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଗୁରୁ ରଘୁନାଥ ପାତ୍ରଙ୍କ ଉପସ୍ଥିତିରେ ଗୀତଟି ଲୋକାର୍ପିତ ହୋଇଛି। ଗୀତଟିରେ ଏସ୍‌ପି ଶର୍ମାଙ୍କ ସହ ହିମାଂଶୁ ପଟ୍ଟନାୟକ କଣ୍ଠଦାନ କରିଥିବାବେଳେ ଏହାର ରଚନା କରିଛନ୍ତି ମମତା ପଟ୍ଟନାୟକ। ଦିନକ ମଧ୍ୟରେ ଏହା ଲୋକଙ୍କ ମଧ୍ୟରେ ବେଶ୍‌ ଆଦୃତ ହୋଇଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି।