କରୋନା ସଚେତନତା ପାଇଁ ନିଜ ଘୋଡ଼ାକୁ ଭାଇରସ ଭଳି ରଙ୍ଗେଇଲେ ପୋଲିସ

କୁର୍ନୁଲ,୩୧।୩: କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ ଆମ ଦେଶରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଆନ୍ଧ୍ର ପ୍ରଦେଶର ଜଣେ ପୋଲିସକର୍ମୀ କରୋନା ସଚେତନତା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛନ୍ତି। ସବ୍‌ ଇନ୍ସପେକ୍ଟର ମାରୁତି ଶଙ୍କର ମଙ୍ଗଳବାର କୁର୍ନୁଲ ଜିଲାର ପ୍ୟାପିଲି ସହରରେ ଏକ ଘୋଡ଼ା ଚଢି ଯାଉଥିବାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯଦିଓ ଏଥିରେ କିଛି ନୂତନତ୍ୱ ନ ଥିଲା ତେବେ ଘୋଡ଼ାଟି ଯେଉଁ ରଙ୍ଗରେ ରଙ୍ଗେଇ ହୋଇଥିଲା ତାହା ସମସ୍ତଙ୍କ ଦୃଷ୍ଟିରେ ପଡିଥିଲା। ଧଳା ଘୋଡ଼ାଟିର ସମ୍ପୂର୍ଣ୍ଣ ଶରୀର ଲାଲ ରଙ୍ଗରେ ଠିକ୍‌ କରୋନା ଭାଇରସ ଭଳି ସଜେଇ ହୋଇଥିଲା। ଯେଉଁ କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି ତାକୁ ନେଇ ଲୋକଙ୍କ ଭିତରେ ସଚେତନା ସୃଷ୍ଟି କରିବା ଥିଲା ମାରୁତିଙ୍କର ମୂଳ ଲକ୍ଷ୍ୟ। ଇନ୍ସପେକ୍ଟର ମାରୁତି ଉକ୍ତ ସହରର କଲୋନିରେ ଘୋଡ଼ାଟିକୁ ବୁଲାଇ ବୁଲାଇ କରୋନାକୁ ନେଇ ଯେଉଁସବୁ ସଚେତନତା ଜାରି କରାଯାଇଛି ତାକୁ ମାନିବାକୁ କହୁଥିଲେ। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଏହା ୬ଦିନରେ ପହଞ୍ଚିଛି। ଏହା ପୂର୍ବରୁ ଚେନ୍ନାଇର ଜଣେ ପୋଲିସ ମଧ୍ୟ କରୋନା ହେଲମେଟ୍‌ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା ନଜରକୁ ଆସିଥିଲା।

Share