କରୋନା ସଚେତନତା: ହାତ ଧୋଇ ଥାନା ଭିତରକୁ ପ୍ରବେଶ ପାଇଁ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ

ଛେଣ୍ଡିପଦା, ୧୭।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପରିସରରେ ମଙ୍ଗଳବାର ହାତଧୁଆ ବ୍ୟବସ୍ଥା କରାଯିବା ସହିତ କରୋନା ସଚେତନତା ବର୍ତ୍ତା ଦିଆଯାଉଛି। ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝିଙ୍କ ତତ୍ତ୍ୱାବଧାନରେ ଥାନାକୁ ଆସୁଥିବା ପ୍ରତ୍ୟେକ କର୍ମଚାରୀ ଓ ଅଭିଯୋଗକାରୀ ପ୍ରଥମେ ହାତ ଧୋଇ ଥାନା ଭିତରକୁ ପ୍ରବେଶ କରିବା ପାଇଁ ସଚେତନ କରିବା ସହିତ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହାତଧୁଆର ଠିକ ବ୍ୟବସ୍ଥା ସମ୍ପର୍କରେ ବୁଝାଯାଉଛି। ଏପରି କି ଥାନାର ସମସ୍ତ କର୍ମଚାରୀ ମୁହଁରେ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କରୋନା ସଂକ୍ରମଣ ରୋକିବା ପାଇଁ ଦୁଇଟି ଗାଡିରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ବୁଲି ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଉଛି।