କରୋନା ସନ୍ଦିଗ୍ଧଙ୍କୁ ଠାବ କରିପାରୁନି ପୋଲିସ

କୁଜଙ୍ଗ, ୧୯।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଜଣେ ବ୍ୟକ୍ତି ମହାରାଷ୍ଟ୍ରରେ କିଛି ଦିନ ରହି ନିକଟରେ ଘରକୁ ଫେରିବା ପରେ ଥଣ୍ଡା, ଜ୍ୱର ଆକ୍ରାନ୍ତ ହୋଇଥିଲେ। ତେବେ ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କୁଜଙ୍ଗସ୍ଥିତ ଏକ ଘରୋଇ କ୍ଲିନିକକୁ ବୁଧବାର ଅପରାହ୍ନରେ ଆସିଥିଲେ ହେଁ ସେଠାକାର ଡା. କୁଳମଣି ସାମଲ ତାଙ୍କୁ କଟକ ବଡ଼ ମେଡିକାଲ ବା କ୍ୟାପିଟାଲ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ବଡ଼ ମେଡିକାଲ ବା କ୍ୟାପିଟାଲ ହସ୍ପିଟାଲ ଯିବା ପରିବର୍ତ୍ତେ ପାରାଦୀପ ଓ କୁଜଙ୍ଗ ଅଞ୍ଚଳର କେତେଜଣ ଡାକ୍ତରଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡା. ସାମଲ କୁଜଙ୍ଗ ଥାନାଧିକାରୀଙ୍କୁ ଅବଗତ କରାଇଥିଲେ ବି ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ନାହିଁ।
ସୂଚନାଥାଉ କି, ସମ୍ପୃକ୍ତ ବ୍ୟକ୍ତି ଜଣକ ଡା. ସାମଲଙ୍କ କ୍ଲିନିକକୁ ଆସିଥିବା ବେଳେ ଅନ୍ୟ ରୋଗୀମାନଙ୍କ ଗହଣରେ କିଛି ସମୟ ବସିଥିଲେ। ଯଦି ସେ କରୋନା ସଂକ୍ରମିତ ହୋଇଥାନ୍ତି, ତାହେଲେ ଉକ୍ତ କ୍ଲିନିକର ସମସ୍ତ ଡାକ୍ତର ଓ ସେଠାକୁ ଆସିଥିବା ରୋଗୀଙ୍କ ଦେହରେ କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ପୋଲିସ, ମେଡିକାଲ ଓ ପ୍ରଶାସନିକ ଅଧିକାରୀଙ୍କ ଚିନ୍ତା ବଢ଼ି ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ମିଳିତ ଉଦ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଆଇସୋଲେଶନରେ ରଖାଇବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

Share