Categories: ରାଜ୍ୟ

କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର

ଭୁବନେଶ୍ୱର,୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ଲୋକସେବା ଭବନରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ବୈଠକ ଶେଷ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇ କହିଛନ୍ତି, କରୋନା ପାଇଁ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସୁସ୍ଥ ଲୋକମାନେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଯେଉଁମାନେ କେବଳ ଥଣ୍ଡା, ଛିଙ୍କ ଆଦିରେ ଆକ୍ରାନ୍ତ ସେମାନେ ମାସ୍କ ବ୍ୟବହାର କରନ୍ତୁ। ଭୁବନେଶ୍ୱର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ଖୁବ୍‌ଶୀଘ୍ର କରୋନା ଟେଷ୍ଟିଂ ସୁବିଧା ମିଳିବ। କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ମିଳିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଇତିମଧ୍ୟରେ ୮୨ ଦେଶକୁ ବ୍ୟାପି ସାରିଲାଣି। ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାରୀ ତଥା ବେସରକାରୀସ୍ତରରେ ଏହାକୁ ନେଇ ସଚେତନ କରାଯାଉଛି।

Share