କରୋନା ସନ୍ଦେହ: ସୁରାଟ ଫେରନ୍ତା ଏମ୍‌କେସିଜିରେ ଭର୍ତ୍ତି

ବ୍ରହ୍ମପୁର ଅଫିସ,୧ା୪- କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଅନ୍ୟପଟେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟାରେ ଗାଙ୍ଗପୁର ଅଞ୍ଚଳର ଜଣେ ସୁରାଟ ଫେରନ୍ତା ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି। ଗତ ୧୮ ତାରିଖରେ ସେ ସୁରାଟରୁ ଫେରିଥିବାବେଳେ ସୋମବାର ହଟାତ୍‌ ତାଙ୍କୁ ଥଣ୍ଡା ସହ କାଶ ହୋଇଥିଲା। ମଙ୍ଗଳବାର ସକାଳେ ଭୀଷଣ ଜ୍ୱର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ୭ ଜଣ ସନ୍ଦିଗ୍ଧ ଥିବାବେଳେ ଗାଙ୍ଗପୁର ଅଞ୍ଚଳର ସନ୍ଦିଗ୍ଧଙ୍କୁ ମିଶାଇ ଏବେ ମେଡିକାଲରେ ୮ ଜଣ ଅଛନ୍ତି। ବୁଧବାର ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ଗତ ୧୮ ଦିନ ମଧ୍ୟରେ ଭର୍ତ୍ତି ହୋଇଥିବା ୩୦ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୨୨ ଜଣଙ୍କ ସ୍ବାବ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ଅଧିକ୍ଷକ ମିଶ୍ର ସୂଚନା ଦେଇଛନ୍ତି।

Share