କରୋନା ସହାୟତା: ନିମାପଡ଼ା ବ୍ଲକର ୪୦ହଜାର ହିତାଧିକାରୀଙ୍କୁ ୪ କୋଟି ସହାୟତା ପ୍ରଦାନ

ନିମାପଡ଼ା,୯।୪(ଡି.ଏନ୍‌.ଏ.): ମହାମାରୀ କରୋନା ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳର ମୋଟ ୪୪ହଜାର ୭୫୭ଜଣ ରାଶନ କାର୍ଡ ଧାରୀଙ୍କ ମଧ୍ୟରୁ ୪୦ହଜାରଙ୍କୁ ୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅବଶିଷ୍ଟ ୪ହଜାର ୭୫୭ଜଣ ହିତାଧିକାରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଗୁରୁବାର ବିଡିଓ ମନୋଜ କୁମାର ବେହେରା ଓ ଯୋଗାଣ ନିରୀକ୍ଷକ ଶୁଭାଶିଷ ଜେନା କହିଛନ୍ତି। ସେହିପରି ବ୍ଲକରେ ପଞ୍ଜିକୃତ ହୋଇଥିବା ମୋଟ ୪ହଜାର ୧ଶହ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଅଦ୍ୟାବଧି ୨ହଜାର ଶ୍ରମିକଙ୍କୁ ମୋଟ ୩୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଅବଶିଷ୍ଟ ଶ୍ରମିକମାନଙ୍କୁ ଦୁଇ ଦିନ ମଧ୍ୟରେ ସମସ୍ତ ସହାୟତା ରାଶି ପ୍ରଦାନ କରାଯିବ। ପ୍ରତ୍ୟେକ ରାଶନ କାର୍ଡ ଥିବା ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ଓ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଛି। ତେବେ ସହାୟତା ପ୍ରଦାନ ଦିଗରେ ପୁରୀ ଜିଲାରେ ନିମାପଡ଼ା ବ୍ଲକ ଆଗରେ ରହିଥିବା ବିଡିଓ ବେହେରା ପ୍ରକାଶ କରିଛନ୍ତି।