କରୋନା ସହିତ ବିଦେଶରୁ ଭାରତକୁ ଆସିଛି ୮ ଅନ୍ୟ ଭୂତାଣୁ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଭାରତରେ ଥମିବାର ନାଁ ଧରୁନି। ଚାଇନାରୁ ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ସାରା ପୃଥିବୀରେ ବ୍ୟାପି ସାରିଛି। ଭାରତକୁ କରୋନା ଭୂତାଣୁ ସହିତ ବିଦେଶରୁ ଅନ୍ୟ ୮ ପ୍ରକାର ଭୂତାଣୁ ମଧ୍ୟ ଆସିଛି। କେରଳ ଏବଂ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜିର ଗବେଷକ ଏନେଇ ସୂଚନା ଦେଇଛନ୍ତି। ବିଦେଶରୁ ଭାରତ ଫେରିଥିବା ୩୬୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୮୪ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୪ ଜଣଙ୍କଠାରେ ସାର୍ସ ଭୂତାଣୁ ଚିହ୍ନଟ ହୋଇଛି। ସେହିପରି ୨୫ ଜଣଙ୍କଠାରେ ଏନଫ୍ଲୁଏଞ୍ଜା-ଏ, ୭ ଜଣଙ୍କଠାରେ ଏନଫ୍ଲୁଏଞ୍ଜା-ବି, ୨୧ ଯାତ୍ରୀଙ୍କଠାରେ ମାନବ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ୭ ପ୍ରକାର ମାନବ କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ୧୫ ଜଣ ଯାତ୍ରୀଙ୍କଠାରେ ରାଇନୋ ଭୂତାଣୁ, ୪ ଜଣଙ୍କଠାରେ ଏଡିନୋ ଭୂତାଣୁ, ୧୦ ଜଣଙ୍କଠାରେ ପାରା ଏନଫ୍ଲୁଏଞ୍ଜା, ୬ ଜଣଙ୍କଠାରେ ଆର୍‌ଏସ୍‌ବି ଭୂତାଣୁ ଚିହ୍ନଟ ହୋଇଛି। ଏହା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ୨ ଜଣ ବିଦେଶ ଫେରନ୍ତା ଯାତ୍ରୀଙ୍କଠାରେ ମାନବ ମେଟାଫିନୋମି ଭୂତାଣୁ ଚିହ୍ନଟ ହୋଇଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୨ ଜାନୁୟାରୀରୁ ଫେବୃୟାରୀ ୨୯ ମଧ୍ୟରେ ସମ୍ପୃକ୍ତ ଯାତ୍ରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା।

Share