କରୋନା ସହିତ ଲଢ଼େଇ: ଗବେଷଣା ପାଇଁ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବିସିଜି ଟୀକା

ମେଲବୋର୍ନ,୩୧।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଇତିମଧ୍ୟରେ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। ପ୍ରତି ଦେଶର ବୈଜ୍ଞାନିକ ଏନେଇ ଗବେଷଣା ଜାରି ରଖିଛନ୍ତି। ତେବେ ଟିବି ପାଇଁ ଦିଆଯାଉଥିବା ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌) ଏକ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ବିସିଜି ଟୀକା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଗତ ୧୦୦ ରୁ ଅଧିକ ବର୍ଷ ଧରି ଟିବି ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ କରାଯାଉଛି। ବ୍ଲଡ୍‌ କ୍ୟାନେସରରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। ଏନେଇ ଅଷ୍ଟ୍ରେଲିଆର ମେଲବୋର୍ନରେ ଗବେଷକ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ବିସିଜି ଟୀକାର ପ୍ରୟୋଗ କରିବେ। ଅପରପକ୍ଷରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବର୍ଷେରୁ ଦେଢ଼ବର୍ଷ ଲାଗିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେଣୁ କରୋନାର ପ୍ରତିରୋଧ ଲାଗି ଏବେ ବିସିଜି ଟୀକାର ପ୍ରୟୋଗ କରାଯାଇ ଅଧ୍ୟୟନ କରାଗଲେ ପରବର୍ତ୍ତୀ ସମୟରେ ସୁଫଳ ମିଳିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି।

Share