କରୋନା ସହିତ ଲଢ଼େଇ: ଟ୍ରମ୍ପ୍‌ଙ୍କ ଭୟଙ୍କର ପରାମର୍ଶକୁ ଗ୍ରହଣ କଲେନି ଡାକ୍ତର

ଓ୍ବାଶିଂଟନ,୨୫।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ତେବେ ମଧ୍ୟ ଏଠାରେ ମୃତ୍ୟୁ ସଂଖ୍ୟା ଅବା ସଂକ୍ରମିତଙ୍କ ସଂଖ୍ୟା ରୋକିବାରେ ସରକାର ସକ୍ଷମ ହୋଇ ପାରି ନାହାଁନ୍ତି। ଏପରିସ୍ଥଳେ କରୋନା ଲଢ଼େଇ ନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଡାକ୍ତରମାନେ ଗ୍ରହଣ କରିବାକୁ ମନା କରି ଏହାର ବିରୋଧ କରିଛନ୍ତି। ସଂକ୍ରମିତଙ୍କ ଶରୀରରେ ଜର୍ମିସାଇଡ (ରୋଗାଣୁନାଶକ) ଇଞ୍ଜେକଶନ୍‌ ଦେବା ଉପରେ ଗବେଷଣା କରିବା ନେଇ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ଏକ ବୈଠକରେ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ କରୋନା ଟାସ୍କ୍‌ ଫୋର୍ସ ଡାକ୍ତର ଡେବୋରାୟ ବିରକ୍ସ୍‌ ଏଭଳି ଭୟଙ୍କର ପ୍ରସ୍ତାବକୁ ବିରୋଧ କରିଥିଲେ। ଏହାପରେ ଅନ୍ୟ ଡାକ୍ତରମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଅନ୍ୟ ଜଣେ ଡାକ୍ତର ଜୋନାଥନ୍‌ ସ୍ପାଇସର କହିଛନ୍ତି ଯେ, ଜର୍ମିସାଇଡ୍‌ ମଣିଷ ଶରୀରରେ ପ୍ରବେଶ କଲେ ସମସ୍ତ ଅଙ୍ଗ ଆକାମୀ ହୋଇପଡ଼ିବ। ସେହିପରି ନ୍ୟୁୟର୍କ ସିଟି ସ୍ବାସ୍ଥ୍ୟ କମିଶନର ଡାକ୍ତର ଅସ୍କିରିସ୍‌ ବାରବୋଟ କହିଛନ୍ତି ଜର୍ମିସାଇଡ୍‌ ମଣିଷ ତ୍ୱଚାରେ ଲାଗିଲେ ବିଷାକ୍ତ ପ୍ରକ୍ରିୟା ଆରମ୍ଭ କରିଥାଏ। ଏପରିସ୍ଥଳେ ଏହାକୁ ଶରୀରରେ ଇଞ୍ଜେକଶନ୍‌ ଦ୍ୱାରା ଦେବା ଅତ୍ୟନ୍ତ ବିପଦ ଜନକ। ସେହିପରି ଟ୍ରମ୍ପ ଅଲ୍ଟା ଭାୟୋଲେଟ ଲାଇଟ୍‌ ପକାଇ କରୋନା ଭୂତାଣୁକୁ ନଷ୍ଟ କରିବା ଉପରେ ମତପୋଷଣ କରିଥିଲେ। ଏହାକୁ ଇମ୍ୟୁନୋଲୋଜିଷ୍ଟ୍‌ ଡାକ୍ତର ଡୋନା ଫାର୍ବର ଗ୍ରହଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଅଲ୍ଟା ଭାୟୋଲେଟ ଲାଇଟ୍‌ ଶରୀରର ବେଶି ଭିତରକୁ ପ୍ରବେଶ କରିପାରେ ନାହିଁ। ଏହା ସଂକ୍ରମିତ ଫୁସଫୁସ ପର୍ଯ୍ୟନ୍ତ ମଧ୍ୟ ପ୍ରବେଶ କରି ପାରିବ ନାହିଁ। କିନ୍ତୁ ଏହାର ପ୍ରୟୋଗ ଦ୍ୱାରା ଶରୀରର ଡିଏନ୍‌ଏ ସଂରଞ୍ଚନାର କ୍ଷତି ଘଟିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

Share