କରୋନା ସହିତ ଲଢ଼େଇ: ୬୦ ପ୍ରତିଶତ ଭାରତୀୟ ପରିବାର ଖାଇବା ପୂର୍ବରୁ ସାବୁନରେ ଧୁଅନ୍ତି ନାହିଁ ହାତ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଦେଶରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ କମ୍‌ ସେ କମ୍‌ ୨୦ ସେକେଣ୍ଡ ଲାଗି ସାବୁନରେ ହାତ ଧୋଇବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି। ତେବେ ନ୍ୟାଶନାଲ୍‌ ସାମ୍ପୁଲ୍‌ ସର୍ଭେ ଅଫିସ୍‌(ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦.୪ ପ୍ରତିଶତ ଭାରତୀୟ ପରିବାର ଖାଇବା ପୂୂର୍ବରୁ ସାବୁନରେ ହାତ ଧୁଅନ୍ତିି ନାହିଁ। ହାତ ଧୋଇବା ପାଇଁ ସେମାନେ କେବଳ ପାଣିର ବ୍ୟବହାର କରିଥାନ୍ତି। ସେଥିମଧ୍ୟରେ ସହରର ୪୨.୧ ପ୍ରତିଶତ ପରିବାର ଥିବାବେଳେ ଗ୍ରାମୀଣ ଅଞ୍ଚଳର ୬୯.୯ ପ୍ରତିଶତ ପରିବାର ଅଛନ୍ତି। ଅପରପକ୍ଷରେ ଦେଶର ୩୫.୮ ପ୍ରତିଶତ ଲୋକ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇଥାନ୍ତି। ସେଥିମଧ୍ୟରୁ ସହର ଅଞ୍ଚଳର ୫୬ ପ୍ରତିଶତ ଏବଂ ଗ୍ରାମୀଣ ଅଞ୍ଚଳର ୨୫.୩ ପ୍ରତିଶତ ଲୋକ ରହିଛନ୍ତି। ସହରରେ ୬୦ ପ୍ରତିଶତ ଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ସେହିପରି ଗ୍ରାମୀଣ ଅଞ୍ଚଳରେ ୮୯ ପ୍ରତିଶତ ଘରେ ଜଳ ସଂଯୋଗ ହୋଇନାହିଁ। ଦେଶରେ ୨୧.୪ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ଆସିଥାଏ। ସେଥିମଧ୍ୟରୁ ସହର ଅଞ୍ଚଳର ୪୦.୯ ପ୍ରତିଶତ ଘର ରହିଥିବାବେଳେ ଗ୍ରାମୀଣ ଅଞ୍ଚଳର ୧୧.୩ ପ୍ରତିଶତ ଘର ରହିଛି। ଦେଶର ୮୦ ପ୍ରତିଶତ ଘରେ ପାଣିର କୌଣସି ସୁବିଧା ନ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ୧୩.୪ ପ୍ରତିଶତ ଘରେ ଶୌଚ ହେବାପରେ ଲୋକେ ବିନା ସାବୁନରେ କେବଳ ପାଣିରେ ହିଁ ହାତ ଧୋଇଥାନ୍ତି। ସେଥିମଧ୍ୟରେ ସହରର ୯.୮ ପ୍ରତିଶତ ପରିବାର ଥିବାବେଳେ ଗ୍ରାମୀଣ ଅଞ୍ଚଳର ୧୫.୨ ପ୍ରତିଶତ ପରିବାର ରହିଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଯଦି ଜଣେ ଲୋକ ଦିନରେ ୧୦ ଥର ହାତ ଧୁଅନ୍ତି ତେବେ ଏଥିରେ ପ୍ରତି ୨୦ ସେକେଣ୍ଡ ମଧ୍ୟରେ ପ୍ରାୟ ୨ ଲିଟର ପାଣିର ଆବଶ୍ୟକତା ରହିଛି। ଫଳରେ ସମ୍ପୃକ୍ତ ବ୍ୟକ୍ତି ଦିନରେ ହାତ ଧୋଇବାରେ ୨୦ ଲିଟର ପାଣି ଖର୍ଚ୍ଚ କରିବେ। ଏହା ଦ୍ୱାରା ଦେଶରେ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ରହିଥିବା ସର୍ଭେରେ ଦର୍ଶାଯାଇଛି। ଦେଶର ବହୁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଉଥିବା ବେଳେ ସେଠାରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାବୁନରେ ହାତ ଧୋଇବା ସଚେତନତା ବାର୍ତ୍ତା କେତେଦୂର ସଫଳ ହେବ ସେଇ ନେଇ ସନ୍ଦେହ ଉପୁଜୁ ଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

Share