କରୋନା ସାଙ୍ଗକୁ କାଳବୈଶାଖୀ: ଚାଷୀ ସର୍ବସ୍ବାନ୍ତ

ବାରିପଦା ଅଫିସ, ୨୬ା୪-ମହାମାରୀ କରୋନା ଲାଗି ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡିଥିବା ବେଳେ ବେଡି ଉପରେ କୋରଡା ମାଡ ସଦୃଶ ଚାଷୀଙ୍କ ପାଇଁ ସର୍ବନାଶ କାରଣ ହୋଇଛି କାଳବୈଶାଖୀ। ଏହାର ପ୍ରଭାବରେ ପ୍ରତିଦିନ ବର୍ଷା ଓ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଏନେଇ ଚାଷୀଙ୍କ ଚିନ୍ତା ବଢି ଯାଇଛି। ଜିଲାର ବିଭିନ୍ନ ଅଞ୍ଚଳରେ ଘର ଓ ଗଛ ଭାଙ୍ଗିବା ସହ ପନି ପରିବା ଫସଲ କ୍ଷତି ହୋଇଛି। କୁଳିଅଣା ବ୍ଲକ ଅଧୀନ ଆନିଆପାଳ ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ୧୨ ମାସ ଚାଷ କରି ବାରିପଦା ସହରକୁ ପରିବା ଯୋଗାଇ ଥାଆନ୍ତି। ପୋଟଳ,ବାଇଗଣ,କଖାରୁ,କୁନ୍ଦୁରି,କାକୁଡ଼ି ଆଦି ଚାଷ କରନ୍ତି। କରୋନା ଯୋଗୁଁ ଲକଡ଼ାଉନ ହୋଇଯିବା ଫଳରେ ଚାଷୀମାନେ ଏହାକୁ ବିକ୍ରି କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନେ ନିଜେ ପରିବା ନେଇ ବାରିପଦା ସହରକୁ ବିକ୍ରି କରିବାକୁ ଆସିବା ବେଳେ ପୋଲିସ ହାବୁଡ଼ରେ ପଡ଼ି ହୀନସ୍ତା ହେଉଛନ୍ତି। ଫଳରେ ଚାଷୀମାନେ ଆଉ ବଜାରକୁ ପରିବା ନେଇ ଆସୁ ନାହାନ୍ତି। ଗଛରେ ପନିପରିବା ପଚି ନଷ୍ଟ ହେଉଥିବାରୁ କେହି କେହି ପଡ଼ୋଶୀମାନଙ୍କୁ ମଧ୍ୟ ବାଣ୍ଟି ଦେଉଛନ୍ତି। କେତେକ ଚାଷୀ ସେମାନଙ୍କ ଘରେ କୁଇଣ୍ଟାଲ କୁଇଣ୍ଟାଲ କଖାରୁ ଗଛିତ ରଖିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ଏହି କଖାରୁ ପଚି ନଷ୍ଟ ହେଉଥିବା ବେଳେ ଏହାକୁ ପିଙ୍ଗି ଦେବାକୁ ପଡ଼ୁଛି। ଚାଷୀମାନେ ବିଭିନ୍ନ ଆଡ଼ୁ ଟଙ୍କା ଧାର ଉଦ୍ଧାର କରି ଫସଲ ଚାଷ କରିଥିବା ବେଳେ ଏଭଳି ସମସ୍ୟା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ତେଣୁ ସରକାର ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଆନିଆପାଳ ଗ୍ରାମର ଯାନକିଶୋର ବେହେରା, ରାଜକୁମାର ସିଂ, ଚକ୍ରଧର ଜେନାଙ୍କ ସମେତ ଏକାଧିକ ଚାଷୀ ଦାବି କରିଛନ୍ତି।

Share