ଅନୁଗୋଳ ଅଫିସ, ୧୨।୫: ଅନୁଗୋଳ ଜିଲାରୁ ୧୫ ଜଣ କରୋନା ସଂକ୍ରମିତ ବାହାରିବା ପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩ ଜଣିଆ ଟିମ୍ ଜିଲାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଆଣ୍ଡ ଫାମିଲି ୱେଲଫେୟାର ନିର୍ଦ୍ଦେଶକ ଅମରେନ୍ଦ୍ରନାଥ ମହାନ୍ତିଙ୍କ ସହ ଆସିଥିବା ଉକ୍ତ ଟିମ୍ ସହର ଉପକଣ୍ଠ ପଞ୍ଚମହଲାର ଆଦର୍ଶ ବିଦ୍ୟାଳୟ ଓ ବଅଁରପାଳସ୍ଥିତ ଡିପିଏସ୍ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏହାପରେ ଜିଲା ପ୍ରଶାସନ ସହ ଏକ ବୈଠକ କରିଛନ୍ତି। ଜିଲାର କରୋନା ସଂକ୍ରମିତଙ୍କୁ ସିଧାସଳଖ କୋଭିଡ୍ ହସ୍ପିଟାଲ ନ ପଠାଇ ପ୍ରଥମେ ଅସ୍ଥାୟୀ ମେଡିକାଲରେ ଚିକିତ୍ସା କରିବା ଓ କେବଳ ଗୁରୁତରଙ୍କୁ ମେଡିକାଲ୍ ପଠାଇବାକୁ ନିର୍ଦ୍ଦେଶକ ପରାମର୍ଶ ଦେଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।