କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଜିଲାପାଳ ବିଶ୍ୱରଞ୍ଜନ ନାୟକ କରୋନା ଭାଇରସ ଲାଗି ହୋଇଥିବା ସରକାରୀ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବାକୁ ବାମରା ପହଞ୍ଚତ୍ଥିଲେ । ଗୋବିନ୍ଦପୁର ଥାନାରେ ଉପଜିଲାପାଳଙ୍କ ଆବାହକତ୍ୱରେ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର, ବାମରା ତହସିଲଦାର ଅନୀଲ କୁମାର କୁଲୁ, ବିଡିଓ ଗୋବିନ୍ଦ ଡନସନା, ସମ୍ବଲପୁର ଏଡିଏମଓ ପଞ୍ଚାନନ ନାଏକ, ଗୋବିନ୍ଦପୁର ଥାନା ଆଇଆଇସି ପିକେ ରଣା, ଏସଆଇ ଥୋମାସ କେର୍କେଟା ପ୍ରମୁଖ ଉପସ୍ଥିତ ରହି ବାମରା ଅଞ୍ଚଳରେ କରୋନାକୁ ନେଇ ହୋଇଥିବା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ରାଜ୍ୟ ତଥା ବିଦେଶରୁ ଆସିଥିବା ଲୋକଙ୍କ ଉପରେ ନଜର ରଖି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରାମର୍ଶ ଦିଆଯାଇଥିଲା । ପ୍ରତିଦିନ ସନ୍ଧ୍ୟା ୫ଟାରେ ଏନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି । ବାମରା ବସଷ୍ଟାଣ୍ଡ ଛକକୁ ଯାଇ ଯାନବାହାନ ଯାଞ୍ଚ କରି ଲୋକଙ୍କୁ ବିନା କାରଣରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ପରେ ଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ କରୋନା ବିଚ୍ଛିନ୍ନତା ଗୃହ ପରିଦର୍ଶନ କରିଥିଲେ । ସେଠାରେ ଡାକ୍ତର ପିକେ ମହାନ୍ତି, ଡା. କେବି ଡୁଙ୍ଗଡୁଙ୍ଗ, ଡା. ଶ୍ୱେତାମ୍ବରି ଆଚାର୍ଯ୍ୟ, ଡା. ସମ୍ବିତ ପ୍ରଧାନ ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଉପ ଜିଲାପାଳ ବୁଝିଥିଲେ । ପରେ ଗୋବିନ୍ଦପୁର ପଞ୍ଚାୟତ ପଣ୍ଡରିପଥର ଅଞ୍ଚଳକୁ ଯାଇ କୁଚିଣ୍ଡା ଫେରି ଯାଇଥିଲେ।

Share