କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ମିଶାଇ ଚାନ୍ଦିନୀ ମହଲ ଅଞ୍ଚଳରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସୂଚନା ମୁତାବକ ଉକ୍ତ ଅଞ୍ଚଳର ୧୩ଟି ମସ୍‌ଜିଦ୍‌ରେ ବିଦେଶୀଙ୍କ ସମେତ ୧୦୨ଜଣ ବ୍ୟକ୍ତି ରହୁଥିଲେ। ସେଥିମଧ୍ୟରୁ ହଠାତ୍‌ ଏକା ସାଙ୍ଗରେ ୫୨ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହି ସକ୍ରମିତଙ୍କ ମଧ୍ୟରୁ କେତେକ ନିଜାମୁଦ୍ଦିନ ତବଲିଘି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବୋଲି ସରକାର ସୂଚନା ଦେଇଛନ୍ତି। ତେବେ ଦୁଇ ଦିନ ପୂର୍ବରୁ ଏଠାରେ ୩ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ହଟ୍‌ସ୍ପଟ୍‌ ଅଞ୍ଚଳ ଘୋଷଣା କରାଯାଇ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଥିଲା। କିନ୍ତୁ ଗୋଟିଏ ପଟେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ କରୋନା ବ୍ୟାପିବାରୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି।

Share