କରୋନା ହୋଇଥିବା କହି ୧୩ ଦିନର ନବବଧୂଙ୍କୁ ଘରୁ ତଡ଼ିଦେଲେ ଶାଶୁଘର ଲୋକେ: ସ୍ବାମୀ, ଶ୍ୱଶୁର ଗିରଫ

ଉମରକୋଟ,୧୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଗାଁଠାରୁ ସହରଯାଏ ଏହି ଭାଇରସ୍‌ ଆତଙ୍କରେ ଆତଙ୍କିତ। ଏପରିକି ଜଣେ ନବବଧୂଙ୍କର ସାମାନ୍ୟ ଥଣ୍ଡା କାଶ ହେବାରୁ ଶାଶୁଘର ଲୋକେ କରୋନା ହୋଇଥିବା କହି ଟାହିଟାପରା କରିଥିଲେ। ଏହା ସହିତ ନିର୍ଯାତନା ଅଭିଯୋଗରେ ସ୍ବାମୀ ଜେଲ୍‌ ଯିବା ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଉମରକୋଟ ଥାନା ଅନ୍ତର୍ଗତ ମୂର୍ତୁମା ୟୁଭି-୬ ଗ୍ରାମର ହାରାଧନ ସରକାରଙ୍କ ଝିଅ ପୂଜାଙ୍କ ସହ ଉମରକୋଟ ନିବାସୀ ଯୁବରାଜ ଭକିଲଙ୍କ ପୁଅ ଜୟନ୍ତଙ୍କର ଗତ ତାରିଖରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ନଗଦ ଅଢ଼େଇ ଲକ୍ଷ ଟଙ୍କା ସହ ୧ ଲକ୍ଷ ୪୦ ହଜାରର ଏକ ବାଇକ୍‌ ଯୌତୁକ ଆକାରରେ ଦିଆଯାଇଥିଲା। ବିବାହର କିଛିଦିନ ପରେ ପୂଜାଙ୍କୁ ଥଣ୍ଡା ସହ କାଶ ହୋଇଥିଲା। ଏହା କରୋନାର ଲକ୍ଷଣ ବୋଲି କହି ଶାଶୁଘର ଲୋକେ ଥଟ୍ଟା ପରିହାସ କରିଥିଲେ। ଏପରିକି ତାଙ୍କୁ ଘରେ ନ ଶୁଆଇ ଚଟାଣରେ ଶୋଇବାକୁ କହିଥିଲେ। ଏନେଇ ପୂଜା ବାପଘର ଲୋକଙ୍କୁ କହିବାରୁ ଗ୍ରାମରେ ଏକ ବୈଠକ ବସିଥିଲା। ପରେ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ସ୍ବାମୀ ଜୟନ୍ତ ଏହାକୁ ସ୍ବୀକାର କରିବା ସହ ଥଟ୍ଟାରେ କହୁଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ବାମୀ ଜୟନ୍ତ ଏବଂ ଶ୍ୱଶୁର ଯୁବରାଜଙ୍କୁ ଗିରଫ କରିଛି।

Share