କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ ୪୨୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ୭୫ ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସାର୍ସ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌) ମୃତ୍ୟୁଠାରୁ ମଧ୍ୟ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ଚାଇନାରେ ୩୪୯ ଜଣ ପ୍ରାଣ ହରାଇଥିଲେ। ବିଶ୍ୱବ୍ୟାପୀ ଏହାଦ୍ୱାରା ପ୍ରାୟ ୮୦୦ ଲୋକଙ୍କ ପ୍ରାଣହାନି ଘଟିଥିଲା। ଏବେ କରୋନା ଭାଇରସ୍‌ ସଂକ୍ରମଣ କ୍ରମଶଃ ମହାମାରୀର ରୂପ ଧାରଣ କରୁଥିବାବେଳେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରିସାରିଛି। ଭାରତ, ହଂକଂ ଓ ଫିଲିପାଇନ୍ସର ଲୋକମାନେ କରୋନା ଭାଇରସ୍‌ ଦ୍ୱାରା ପ୍ରାଣ ମଧ୍ୟ ହରାଇ ସାରିଲେଣି। ସର୍ଜିକାଲ ମାସ୍କ, ମେଡିକାଲ ଇକ୍ୟୁପ୍‌ମେଣ୍ଟ, ପ୍ରୋଟେକ୍ଟିଭ୍‌ ସୁଟ୍‌ସ, ସେଫ୍ଟି ଗୁଗ୍‌ଲ୍ସ ସବୁ ଫେଲ୍‌ ମାରିବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ଦୁଇ ସପ୍ତାହ ହେବ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଥିବାବେଳେ ମୃତ୍ୟୁକୁ ରୋକାଯାଇପାରୁନି। ଚାଇନାରେ ଏବେ ୨୦, ୪୩୮ ବ୍ୟକ୍ତି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଆମେରିକା, ଜାପାନ, ଥାଇଲାଣ୍ଡ, ବ୍ରିଟେନ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜର୍ମାନୀ, ଇଟାଲୀ, ରୁଷିଆ, ବେଲଜିିୟମ୍‌, ହଂକଂ ଆଦି ଦେଶକୁ ଏହା ବ୍ୟାପିବାରେ ଲାଗିଛି। ଭାରତ ଭଳି ଅନେକ ଦେଶରେ ଚାଇନା ଫେରନ୍ତା ବିଦେଶୀ ନାଗରିକଙ୍କୁ ପ୍ରବେଶ ଲାଗି ବାରଣ କରାଯାଇଛି। ଭାରତରେ ଚାଇନା ଫେରନ୍ତା ବିଦେଶୀ ନାଗରିକଙ୍କ ଇ-ଭିଜା ସୁବିଧାକୁ ସାମୟିକ ଭାବେ ବାତିଲ କରାଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟି ବୈଠକ ଡାକି ବରିଷ୍ଠ ଅଧିକାରୀମାନଙ୍କୁ କେତେକ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଯଥାସମ୍ଭବ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।

Share