କରୋନା UPDATE: ବିଶ୍ୱରେ ୨୪ ଘଣ୍ଟାରେ ୪ହଜାରରୁ ଊର୍ଦ୍ଧ୍ୱ ମୃତ; ଭାରତରେ ୧୨୫୧ ସଂକ୍ରମିତ, ଓଡ଼ିଶାରେ ୪୭୩ ନମୂନାର ଆସିଛି ରିପୋର୍ଟ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର୧୯୯ ଦେଶ ଏବଂ ୨ ଜାହାଜରେ କରୋନା ସଂକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହା ୨୦୦ ଦେଶରେ ପହଞ୍ଚିଛି। ୭ଲକ୍ଷ ୨୪ ହଜାର ୭୫୯ଜଣ ସଂକ୍ରମିତ ଥିବା ବେଳେ ଅପରାହ୍ନ ସୁଦ୍ଧା ଏହା ୭ଲକ୍ଷ ୮୯ହଜାର ୯୩୬ରେ ପହଞ୍ଚିଛି। କରୋନା ଯୋଗୁ ସେମବାର ୩୪ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ମୋଟ ୩୮ହଜାର ୧୦୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟାକୁ ଦେଖିଲେ୨୪ ଘଣ୍ଟାରେ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଭାରତରେ ସୋମବାର ୧୦୭୧ ସଂକ୍ରମିତ ଥିବା ବେଳେ ମଙ୍ଗଳବାର ଏହା ୧୨୫୧ ହୋଇଛି। ମୃତ୍ୟୁ ସଂଖ୍ୟା ୨୯ ଥିବା ବେଳେ ଏବେ ଏହା ୩୨ରେ ପହଞ୍ଚିଛି ବୋଲି ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସେହିଭଳି ଓଡ଼ିଶାରେ ମୋଟ ୪୭୩ ନମୂନାର ରିପୋର୍ଟ ଆସିଛି। ସେଥିରୁ ୩ ପଜିଟିଭ୍‌ ରହିଛି । ପ୍ରଥମ ୨ ରୋଗୀଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିବା ବେଳେ ୩ୟଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଛନ୍ତି। ସେହିଭଳି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୫୭ଜଣ କରୋନା ସନ୍ଦିଗ୍ଧ ରହିଛନ୍ତି। ସୁସ୍ଥ ଥିବା ଯୋଗୁ କିଛି ଲୋକଙ୍କୁ ଛାଡ଼ି ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ପୋର୍ଟାଲ ଏବଂ ୧୦୪ନଂ ଯୋଗେ ମୋଟ ୧୧୫୭୫ଜଣ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶ ଫେରନ୍ତା ୪ହଜାର ୩୦୪ଜଣ ଥିବା ବାଗ୍‌ଚୀ କହିଛନ୍ତି ।

Share