କର୍କଟ ରୋଗୀଙ୍କଠାରେ ବିରଳ ଅସ୍ତ୍ରୋପଚାର

କଟକ ଅଫିସ,୧୩ା୬: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କିଡ୍‌ନୀ କ୍ୟାନ୍ସର ରୋଗୀଙ୍କଠାରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଢେଙ୍କାନାଳ ଜିଲାର ଏହି ରୋଗୀ ଜଣକ ସମସ୍ତ ପ୍ରକାର ପରୀକ୍ଷା କରାଇବା ସହ ରାଜ୍ୟର ଅନେକ ବେସରକାରୀ ଓ ସରକାରୀ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ଦେହରେ ବଢୁଥିବା ଟ୍ୟୁମର କିଡ୍‌ନୀରୁ ହାର୍ଟର ଇନ୍‌ଫେରିଅର ଭେନାକାଭା (ପେଟକୁ ରକ୍ତବାହୀ ଶିରା) ଯାଏ ଲାଗିଥିଲା। ତେଣୁ ସବୁ ହସ୍ପିଟାଲ ଏହି ଜଟିଳ ଅସ୍ତ୍ରୋପଚାର କରିବାକୁ ମନା କରିଦେଇଥିଲେ। ଶେଷ ଆଶା ନେଇ ମେ’ ଶେଷ ସପ୍ତାହରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଆସିଥିଲେ ରୋଗୀ। ସେଠାରେ ଗତ ୭ ତାରିଖ ଡା. ଭାରତ ଭୂଷଣ ଶତପଥୀ ଓ ଡା. ଜୀବନ ଜ୍ୟୋତି ମିଶ୍ର ତାଙ୍କର ସଫଳ ଅସ୍ତ୍ରୋପଚାର କରିଛନ୍ତି। ଏହି ଅସ୍ତ୍ରୋପଚାରରେ ରୋଗୀଙ୍କ ଗୋଟିଏ କିଡ୍‌ନୀ ବାହାର କରାଯିବା ସହ ଇନ୍‌ଫେରିଅର ଭେନାକାଭା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ୟୁମରକୁ କାଟି ବାହାର କରି ଦିଆଯାଇଛି। ଏବେ ରୋଗୀ ଜଣକ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଅସ୍ତ୍ରୋପଚାରରେ ଡା. ରେଖା ଦାସ, ଡା. ପ୍ରଜ୍ଞା ଦାସ, ଡା. ଶ୍ୟାମ ସାହୁ ଓ ସେବିକା ଲକି ବେହେରା ସହଯୋଗ କରିଥିଲେ।

Share