କର୍ତ୍ତବ୍ୟରେ ଅବହେଳା: ନିମାପଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ନିମାପଡା, ୧୬ା୪(ବ୍ୟୁରୋ/ଡି.ଏନ୍‌.ଏ.): କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ ନିର୍ଦ୍ଦେଶାନାମାକୁ ପାଳନ ନ କରିବା ଯୋଗୁ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନଚରଣ ଜେନାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଜେନା କୋଭିଡ-୧୯ ଜରୁରୀ ପରିସ୍ଥିିତି ସମୟରେ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦାନ କରିନାହାନ୍ତି। ଲକ୍‌ଡାଉନ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଶନ କାର୍ଡଧାରୀଙ୍କୁ ଏପ୍ରିଲ ୨ରୁ ୧୦ତାରିଖ ମଧ୍ୟରେ ୧୦୦୦ ଟଙ୍କା ଲେଖାଏ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ସେ ବିଫଳ ହୋଇଛନ୍ତି। ଏଥି ସହିତ ଏନ୍‌ଏସିର ୱାର୍ଡ ନଂ. ୬ ଓ ୭ରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସାମାଜିକ ଦୂରତ୍ୱ ନିୟମାବଳୀକୁ ସହାୟତା ବଣ୍ଟନ ବେଳେ ଉଲ୍ଲଂଘନ କରିଥିବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଜେନା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପୁରୀ ଜିଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଜିଲା ମୁଖ୍ୟ କାର୍ଯ୍ୟାଳୟ ବାହାରକୁ ନ ଯିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋାଗ୍ୟ, ନିମାପଡ଼ା ଏନ୍‌ଏସିରେ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନ ହିତାଧିକାରୀଙ୍କୁ ୧ହଜାର ଟଙ୍କ ଲେଖାଏ ଆର୍ଥିକ ସହାୟତା ବଣ୍ଟନ ବେଳେ ସାମାଜିକ ଦୂରତ୍ୱ ରକ୍ଷା କରି ନ ଥିବାରୁ ଏନ୍‌ଏସିର କନିଷ୍ଠ ସହାୟକ ରବୀନ୍ଦ୍ର ନାଥ ସାହୁଙ୍କୁ ଜିଲାପାଳ ଶନିବାର ନିଲମ୍ବନ କରିଥିଲେ। ସେହିଭଳି ଉକ୍ତ କାର୍ଯ୍ୟରେ ନିୟୋଜିତ ୩ଜଣ ଶିକ୍ଷକଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।

Share