କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ

ସୁୁନ୍ଦରଗଡ, ୨୧।୪ (ଡି.ଏନ୍‌.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି ଏମାନେ ଦିନ ରାତିକୁ ଏକ କରିଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକେଇ ସାମୂହିକ ସ୍ବାର୍ଥକୁ ଗୁରୁତ୍ୱଦେଇ ନିଜ ବିବାହ ତାରିଖକୁ ଘୁଞ୍ଚାଇବାକୁ ପଛାଉନାହାନ୍ତି ଏହି କରୋନା ଯୋଦ୍ଧା। ସୁନ୍ଦରଗଡ ଜିଲାର ୨ ମହିଳା ପୋଲିସ କର୍ମଚାରୀ ଏହାକୁ ନେଇ ଉଦାହରଣ ସୃଷ୍ଟି କରିଛନ୍ତି।

ସୂଚନାନୁଯାୟୀ, ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ(ଓଏପିଏ) ସୁନୀତା ଅଢା ଓ ମହିଳା ହୋମଗାର୍ଡ ତିଳତ୍ତୋମା ମେହେର ନିଜର ଡ୍ୟୁଟି ପାଇଁ ସେମାନଙ୍କର ବିବାହୋତ୍ସବକୁ ଘୁଞ୍ଚାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଆସନ୍ତା ୨୫ ତାରିଖରେ ସୁନୀତାଙ୍କ ବିବାହ ତାରିଖ ସ୍ଥିର ହୋଇଥିବା ବେଳେ ତିଳତ୍ତୋମାଙ୍କ ବିବାହ ଗତ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ହେଲେ କରୋନା ଯୋଗୁ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବା ବେଳେ ଏହି ୨ଜଣ ମହିଳା ପୋଲିସ କର୍ମଚାରୀ କତ୍ତବ୍ୟ ପରାୟଣତାକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ସୁନ୍ଦରଗଡ ଏସପି ସୈାମ୍ୟା ମିଶ୍ର ପ୍ରଶଂସା କରିଛନ୍ତି।

Share