ବରହି,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ଉଦ୍ବୋଧନ ଦେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରହିରେ ଏକ ଜନସଭାକୁ ଉଦ୍ବୋଧନ ଦେଇଛନ୍ତି। ମୋଦି ତାଙ୍କ ଭାଷଣ ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକ ଉପ ନିର୍ବାଚନକୁ ନେଇ ସେ କହିଛନ୍ତି ଜନାଦେଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଜନତା ଦଣ୍ଡ ଦିଅନ୍ତି। ମୋଦି କହିଛନ୍ତି କର୍ନାଟକରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗଠନ କରୁ ବୋଲି ଜନତା ଚାହୁଁଥିଲେ। ହେଲେ କଂଗ୍ରେସ ତା’ର ପୂର୍ବ ପ୍ରକୃତି ଅନୁଯାୟୀ ପରଦା ପଛରେ ଏମିତି ଖେଳ ଖେଳିଥିଲା ଯେମିତି ଭାଜପା ସରକାର ଗଠନ ନ କରିପାରିବ। ହେଲେ ଆଜି କର୍ନାଟକ ନିର୍ବାଚନକୁ ନେଇ ଯେଉଁ ଫଳାଫଳ ଆସୁଛି ସେଥିରୁ ସ୍ପଷ୍ଟ ହେଉଛି ଯେ ଜନତା କଂଗ୍ରେସକୁ ଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, କର୍ନାଟକରେ ୧୫ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସୋମବାର ଏହାର ଗଣତି ଆରମ୍ଭ ହୋଇଛି। ଆଉ ଦିନ ୨ଟା ସୁଦ୍ଧା ଭାଜପା ୬ଟି ଆସନରେ ବିଜୟଲାଭ କରିବା ସହ ୬ଟିରେ ଆଗୁଆ ଥିବା ଜଣାପଡିଛି।