କର୍ନାଟକରେ ଜୁନ୍‌ ୧ରୁ ଖୋଲିବ ମନ୍ଦିର-ମସଜିଦ୍‌-ଚର୍ଚ୍ଚ: ଶ୍ରଦ୍ଧାଳୁ ମାନିବେ ମାର୍ଗଦର୍ଶିକା

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଜୁନ୍‌ ୧ଠାରୁ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ଖୋଲାଯିବ। ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମତି ଲୋଡ଼ିବା ସହିତ ଚିଠି ଲେଖିଛନ୍ତି। ଲକ୍‌ଡାଉନ୍‌ ଯୋଗୁ କେନ୍ଦ୍ରସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଥିଲା। ମେ ୩୧ରେ ଲକ୍‌ଡାଉନ୍‌ ଶେଷ ହେବାପରେ ଧାର୍ମିକ ସ୍ଥଳ ଖୋଲାଯିବ। ତେବେ ଶ୍ରଦ୍ଧାଳୁଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ମାନିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶପିଂ ମଲ୍‌ ଏବଂ ଫିଲ୍ମ ହଲ ଖୋଲିବା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।

Share