ବେଙ୍ଗାଲୁରୁ,୭।୮: କର୍ନାଟକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ଅଣଦେଖା କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବିଧାୟକ କୃଷ୍ଣା ବାୟରେ ଗୌଡ଼ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ବନ୍ୟା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରାଜନୀତି କରିବାରେ ବ୍ୟସ୍ତ ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଭାଜପା କ୍ଷମତାକୁ ଆସିବାର ୧୨ ଦିନ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ଗଠନ ହୋଇ ନ ପାରିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।