Categories: ଜାତୀୟ

କର୍ନାଟକରେ ୩ କଶ୍ମୀରୀ ଛାତ୍ର ଗିରଫ

ବେଙ୍ଗାଲୁରୁ,୧୬ା୨: କର୍ନାଟକରେ ୩ କଶ୍ମୀରୀ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଛି। ସେମାନେ ପାକିସ୍ତାନ ସପକ୍ଷରେ ସ୍ଲୋଗାନମାନ ଦେଉଥିଲେ। ହୁବାଲ୍ଲି ପୋଲିସ ସେମାନଙ୍କୁ ଗିରଫ କରିବା ସହ ଦେଶଦ୍ରୋହ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ୩ ଛାତ୍ର କେଏଲ୍‌ଇ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ଛାତ୍ର। ସେମାନେ ହଷ୍ଟେଲରେ ରହି ପାକିସ୍ତାନକୁ ସୁହାଇବା ଭଳି ଭିଡିଓ ତିଆରି କରୁଥିଲେ ବୋଲି ଜଣାପଡ଼ିଛି। ‘ପାକିସ୍ତାନ ଜିନ୍ଦାବାଦ’ ବୋଲି ସେମାନେ କହିବା ସହ ବିଭିନ୍ନ ସ୍ଲୋଗାନ ଦେବାରୁ ପୋଲିସ ସେମାନଙ୍କୁ ଗିରଫ କରିଛି। ବାସିତ୍‌ ନାମକ ଜଣେ ଛାତ୍ର ନିଜକୁ ସୋପୋର ନିବାସୀ ଭାବେ ପରିଚୟ ଦେଇ ଅନ୍ୟ ଦୁଇ ଜଣ ବନ୍ଧୁ ଆମୀର ଓ ତଲିବ୍‌ ବୋଲି ଭିଡିଓରେ ପ୍ରକାଶ କରିଛନ୍ତି। ଭିଡିଓ ଶେଷରେ ପାକିସ୍ତାନକୁ ପ୍ରଶଂସା କରି ଗୀତ ଗାଇବା ସହ ଏଠାରେ ଆମେ ସବୁ ଭଲରେ ଅଛୁ ବୋଲି କହିଛନ୍ତି। ଏହି ଭିଡିଓ ଶନିବାର ସର୍ବସମ୍ମୁଖକୁ ଆସିବା ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ଜଣେ ବିକ୍ଷୋଭକାରୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ୩ କଶ୍ମୀରୀ ଯୁବକଙ୍କୁ ପୋଲିସ ଗିରଫ କରି ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ମାମଲାର ପୋଲିସ ତଦନ୍ତ ଜାରିରହିଥିବା ପ୍ରକାଶ।

Share