Categories: ଜାତୀୟ

କର୍ନାଟକରେ ୩ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୪ା୭(ପି.ଟି.): ୧୯୫୬ରେ କର୍ନାଟକ ଗଠନ ହେବା ପରଠୁ ଅଦ୍ୟାବଧି ୨୫ ଜଣ ମୁଖ୍ୟମନ୍ତ୍ରୀ ହେଲେଣି। ହେଲେ ରାଜ୍ୟର ରାଜନୈତିକ ଇତିହାସରେ କଂଗ୍ରେସର କେବଳ ୩ ନେତା ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବାରେ ସକ୍ଷମ ହୋଇଛନ୍ତି। ଜେଡିଏସ୍‌ ଏବଂ ଭାଜପାରୁ ଅନ୍ୟ ଯେତିକି ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ପୂରା ୫ ବର୍ଷ କ୍ଷମତାରେ ରହି ପାରିନାହାନ୍ତି। ଏସ୍‌. ନିଜାଲିଙ୍ଗାପ୍ପା (୧୯୬୨-୬୮), ଡି. ଦେବରାଜ ଉର୍ସ (୧୯୭୨-୭୭) ଓ ସିଦ୍ଦାରାମାୟା (୨୦୧୩-୨୦୧୮) ହେଉଛନ୍ତି ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ। ଏଚ୍‌.ଡି. କୁମାରସ୍ବାମୀ ଭାଜପା ସମର୍ଥନରେ ୨୦୦୬ ଫେବୃୟାରୀରୁ ୨୦୦୭ ଅକ୍ଟୋବର ଯାଏ ମୁଖ୍ୟମନ୍ତ୍ରୀ ହୋଇଥିଲେ। କ୍ଷମତା ଭାଗବଣ୍ଟାକୁ ନେଇ ବିବାଦ ପରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ୨୦୧୮ ମେ’ରେ କଂଗ୍ରେସ ସମର୍ଥନରେ ଆରମ୍ଭ ହୋଇଥିତ୍ବା କୁମାରସ୍ବାମୀଙ୍କ ଦ୍ୱିତୀୟ ପାଳି ସରକାରର ଏବେ ପତନ ହୋଇଛି। ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ କୌଣସି ପାଳି ପୂରା ୫ ବର୍ଷ ଯାଇନାହିଁ।

Share