କର୍ନାଟକ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା:ଆଇଟି ନୀତି, ପୁଞ୍ଜିନିବେଶ ଉପରେ ଆଲୋଚନା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ପୂର୍ବାହ୍ନରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଅଶ୍ବଥ ନାରାୟଣଙ୍କ ସହ ସାକ୍ଷାତ କରିଛନ୍ତି। ଏଥିରେ ଉଭୟଙ୍କ ମଧ୍ୟରେ ଆଇଟି ନୀତି, ପୁଞ୍ଜିନିବେଶ ସୁଯୋଗ ସହ ଆଇଟି କ୍ଷେତ୍ରରେ ଉଭୟ ରାଜ୍ୟ ମିଳିତଭାବେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ଓଡ଼ିଶାରେ ଆଇଟି ଇକୋ-ସିଷ୍ଟମ୍‌ ବିକାଶ ଓ ସହଯୋଗ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-‘ଟି’ ସୂତ୍ରକୁ ଅନୁପାଳନ ପାଇଁ ଆଇଟି କ୍ଷେତ୍ରକୁ ଅଧିକ ସୁଦୃଢ଼ୀକରଣ ଉପରେ ରାଜ୍ୟ ଗୁରୁତ୍ବ ଦେଉଛି। ଏଥିପାଇଁ ଆଇଟି ଇକୋ-ସିଷ୍ଟମ୍‌ର ବିକାଶ ଲାଗି ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ରାଜ୍ୟରେ ଆଇଟି କ୍ଷେତ୍ରରେ ଥିବା ସମାନ ସମସ୍ୟାର ସମାଧାନ ନିମନ୍ତେ ଉଭୟ ରାଜ୍ୟ ମିଳିତଭାବେ କାର୍ଯ୍ୟ କରିବା ଉପରେ ଆଲୋଚନାରେ ମତ ପ୍ରକାଶ ପାଇଛି। ଓଡ଼ିଶାକୁ ଏକ ଆଇଟି ହବ୍‌ରେ ପରିଣତ କରିବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ କମ୍ପାନୀଗୁଡିକୁ ସବୁ ପ୍ରକାର ସହଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଶ୍‌ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ରାଜ୍ୟ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବା ଦିଗରେ ଏପରି ପ୍ରୟାସ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।

Share